ରାଉରକେଲା ୨୭/୭,(ଉତ୍କଳ ସମାଚାର) ବକେୟା ଥିବା ପ୍ରାପ୍ଯ ପାଇବା ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ଯନ୍ତ ଶ୍ରମିକମାନେ ଧାରଣା ଦେବେ ବୋଲି ଆଜି ରାଉରକେଲା ସାରନା ପ୍ରାର୍ଥନା ସଭା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ରାଉରକେଲା ଲାଠିକଟାରେ ଥିବା ସାସ୍ବତ ଇଣ୍ଟରନେସନାଲ ଲିମିଟେଡ୍ ଦ୍ଵାରା ପରିଚାଳିତ ଓରିଣ୍ଡ-ଓଡ଼ିଶା, ଲାଠିକଟା କାରଖାନା ଦୀର୍ଘ ୧୫ ବର୍ଷ ହେଲା ବେଆଇନ ଭାବରେ ବନ୍ଦ ହୋଇ ପଡିରହିଛି। ଏଠାରେ ସ୍ମରଣଯୋଗ୍ଯ ଯେ ୨୦୧୧ ମଇ ୧୫ରୁ ସରକାରଙ୍କ ଆଦେଶନାମାକୁ ଭୃକ୍ଷେପ ନକରି, ଓରିଣ୍ଡ ବମ୍ବେ ହାଇକୋର୍ଟର ନିର୍ଦ୍ଦେଶ ମୁତାବକ କମ୍ପାନୀକୁ କାରଖାନାର ସମସ୍ତ ସମ୍ପତିକୁ ବିକ୍ରୀ କରି ଶ୍ରମିକ ଏବଂ କର୍ମଚାରୀମାନଙ୍କ ବକେୟା ପାଉଣା ତଥା ଋଣ ପ୍ରଦାନ କରିଥିବା ବ୍ୟାଙ୍କମାନଙ୍କ ଟଙ୍କାକୁ ପଇଠ କରିବା ପାଇଁ ନିର୍ଦ୍ଦେଶ ଦେବାସହିତ ପରିସମାନକାରୀ (Liquidator)ଙ୍କୁ କ୍ଷମତା ପ୍ରଦାନ କରିଥିଲେ । କିନ୍ତୁ କିଛି ସ୍ବାର୍ଥପର ଗୋଷ୍ଠି ମାଲିକଙ୍କ ହାତ ବାରିସି ହୋଇ ସରଳ ନିରୀହ ଶ୍ରମିକ ଓ କର୍ମଚାରୀମାନଙ୍କୁ ନୋଟାରୀ ଜରିଆରେ ଅନାପତ୍ତି ପ୍ରମାଣପତ୍ର (No Objection Certificate) ପ୍ରଦାନ କରି ଅତି ନଗଣ୍ୟ ରାଶିରେ ସମାଧାନ ବା ଫଇସଲା କରାଉଛନ୍ତି। ଓରିଣ୍ଡ କମ୍ପାନୀ କର୍ତ୍ତୃପକ୍ଷ ପରିସମାନକାରୀ (Liquidator)ଙ୍କ ଦ୍ବାହି ଦେଇ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠିଙ୍କୁ ହାତ ବାରିସି କରାଇ ସରଳ ନିରୀହ ଶ୍ରମିକ ଓ କର୍ମଚାରୀମାନଙ୍କୁ ଭୁଲାଇ ନୋଟାରୀଙ୍କ ଜରିଆରେ ଅନାପତ୍ତି ପ୍ରମାଣପତ୍ର (No Objection Certificate) ଜରିଆରେ ଅତି ନଗନ୍ୟ ରାଶି ପ୍ରଦାନ କରୁଛନ୍ତି । ଯାହା କି ଆଇନଗତ ନୁହେଁ।ପାଉଣା ପାଇନଥିବା ଓରିଣ୍ଡ ଶ୍ରମିକ ଓ କର୍ମଚାରୀମାନଙ୍କ ପକ୍ଷରୁ ଦାବି କରାଯାଇଛି ଯେ, କର୍ତ୍ତୃପକ୍ଷ ଅବିଳମ୍ବେ ସରକାରଙ୍କ ସହିତ ଆଲୋଚନାକରି ଆଇନଗତ ପ୍ରାପ୍ୟ ପ୍ରଦାନ କରନ୍ତୁ। ଯଦି କତ୍ତୃପକ୍ଷ ଏହାର ଅବହେଳା କରନ୍ତି ତେବେ ଆସନ୍ତା ଅଗଷ୍ଟ ୫ ତାରିଖଠାରୁ କର୍ତ୍ତୃପକ୍ଷଙ୍କ ରେଲୱେ ସାଇଡିଂ ବନ୍ଦ କରାଯିବା ସମେତ ନଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଠାରେ ସ୍ମରଣଯୋଗ୍ଯ ଯେ ଲାଠିକଟା ଓରିଣ୍ଡରେ କାର୍ଯ୍ୟ କରିଥିବା ଶ୍ରମିକ ଓ କର୍ମଚାରୀଙ୍କ ବକେୟା ଥିବା ଭବିଷ୍ଯନିଧି (ପ୍ରୋଭିଡେଣ୍ଟ ଫଣ୍ଡ) ୬କୋଟି ଟଙ୍କା ସମେତ ବକେୟା ଦରମା ୩୦କୋଟି, ଆଇନଗତ ପ୍ରାପ୍ୟ ୧୦ କୋଟି ଏବଂ ବୋନସ୍ ଓ ଛୁଟି ପ୍ରାପ୍ଯ ୧୦ କୋଟି ଟଙ୍କା ବକେୟା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆଜି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଓରିଣ୍ଡ ଏମ୍ପୋଇଜ୍ ଆସୋସିଏସନର ଉପ-ସଭାପତି ଜାହାଙ୍ଗୀର ଅଲ୍ଲୀ, ସାଧାରଣ ସମ୍ପାଦକ ଅଦୈତ୍ୟ ପ୍ରସାଦ ରାୟଙ୍କ ସମେତ ପ୍ରଭାଂଶୁ ଦାସ, ସଞ୍ଜୟ ପରିଡା, ମହାଦେବ ଖାଲକୋ, ଅନୀଲ କୁମାର ମହାନ୍ତି, ସୁଶାନ୍ତ ବିଶ୍ଵାଳ, ସୁଲେମାନ ଟପ୍ପୋ ଏବଂ ଧୂଚୁ ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ।

