ସମ୍ବଲପୁର,୩୦/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ନିଟ ପ୍ରଶ୍ନ ପତ୍ର ଲିକ୍, ପରବର୍ତ୍ତୀ ଆନ୍ଦୋଳନ, ପରେ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଓ ଭୁବନେଶ୍ୱରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କୁ ନେଇ ବିଜେଡି ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀ ଙ୍କ ପକ୍ଷରୁ କରାଯାଇଥିବା ଟିପ୍ପଣୀ କୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖିଲେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ । ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଦ୍ଵାରା ପ୍ରଦତ୍ତ ଏକ ପ୍ରେସ ବିବୃତିରେ ଶ୍ରୀ ନାଉରୀ ନାୟକ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀ ଆଜି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଯେତିକି ହାସ୍ୟାସ୍ପଦ ସେତିକି ନିନ୍ଦନୀୟ । ତାଙ୍କର ବକ୍ତବ୍ୟ ଶୁଣିଲେ ଲାଗୁଚି ଯେମିତି ସୈତାନ ବେଦ ପାଠ କରୁଛି । ନବୀନ ପଟ୍ଟନାୟକ ଙ୍କ ୨୪ ବର୍ଷ ର ଶାସନ କାଳରେ ସେ ନିଜେ ୧୦ ବର୍ଷ କ୍ଷମତାରେ ରହିଥିଲେ । ଆଜି ସେ ଛାତ୍ର ଛାତ୍ରୀ ଯୁବକ୍ ଯୁବତୀ ଙ୍କୁ ନେ଼ଇ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି ତାହା ତାଙ୍କ ପାଇଁ ବୁମେରାଂ ସଦୃଶ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ର ଲକ୍ଷ ଲକ୍ଷ ଲୋକ ନିର୍ବାଚିତ କରି ମାତ୍ରାଧିକ ବ୍ୟବଧାନ ରେ ସମ୍ମନ୍ ପୂର୍ବକ ଭାବେ ଲୋକସଭାକୁ ପଠେଇଛନ୍ତି ।

