ସମ୍ବଲପୁର,୩୦/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ବିଜୁ ଜନତା ଦଳ (ବିଜେଡି) ସମ୍ବଲପୁର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଇଂ ରୋହିତ ପୂଜାରୀ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଓ ଜିଲ୍ଲା ପରିଷଦ ସଭାପତି କୁମୋଦିନି ନାୟକଙ୍କ ଉପସ୍ଥିତିରେ ଦଳ ପକ୍ଷରୁ କୁହାଯାଇଛି ଯେ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଯେଭଳି ଭାବରେ ସ୍ୱାଗତ କରାଗଲା, ତାହାକୁ ନେଇ ସମ୍ବଲପୁର ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ପକ୍ଷରୁ ପ୍ରଶ୍ନ ଉଠାଇଛନ୍ତି ଯେ, “ଧର୍ମେନ୍ଦ୍ର ପ୍ରଧାନ କଣ କୌଣସି ଯୁଦ୍ଧ ଜୟ କରି ଫେରିଛନ୍ତି କିମ୍ବା ଦେଶ ପାଇଁ କୌଣସି ବଡ଼ ଉପଲବ୍ଧି ହାସଲ କରି ଆସିଛନ୍ତି, ଯେଉଁଥିପାଇଁ ତାଙ୍କୁ ଏଭଳି ଭବ୍ୟ ସ୍ୱାଗତ କରାଯାଉଛି?” କିଛି ଚାଟୁକାର ନେତା ଓ ମନ୍ତ୍ରୀ ନିଜର ବାହାବାହା ନେବା ପାଇଁ ଏହି ସ୍ୱାଗତ ସମାରୋହ ଆୟୋଜନ କରିଥିଲେ ବୋଲି ଦଳ କଟୁ ସମାଲୋଚନା କରିଛି। ”ନୈତିକତା ଥିଲେ ସାଂସଦ ପଦରୁ ମଧ୍ୟ ଦିଅନ୍ତୁ ଇସ୍ତଫା”ସମ୍ବଲପୁର ବିଜେଡି କହିଛି ଯେ, ଯଦି ସେ ନୈତିକତା ଦୃଷ୍ଟିରୁ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, ତେବେ ତାଙ୍କର ସମ୍ବଲପୁର ସାଂସଦ ପଦରେ ରହିବାର ମଧ୍ୟ କୌଣସି ଅଧିକାର ନାହିଁ। ସେ ସାଂସଦ ପଦରୁ ମଧ୍ୟ ତୁରନ୍ତ ଇସ୍ତଫା ଦେବା ଉଚିତ। ତେବେ ଯାଇ ତାଙ୍କୁ ସ୍ୱାଗତ କଲେ ଶୋଭା ପାଇବ। ଏପଟେ ପେପର ଲିକ୍ ଓ ପରୀକ୍ଷା ଦୁର୍ନୀତି ଯୋଗୁଁ ଆତ୍ମହତ୍ୟା କରିଥିବା ନିରୀହ ଛାତ୍ରଛାତ୍ରୀଙ୍କ ପରିବାର ଆଜି ଦୁଃଖ ଓ ଶୋକ ସାଗରରେ ବୁଡ଼ି ରହିଛନ୍ତି। ଅନ୍ୟପଟେ ବିଜେପି ନେତାମାନେ ଉତ୍ସବ ମନାଇ ସ୍ୱାଗତ ସମାରୋହ କରୁଛନ୍ତି, ଯାହା ଅତ୍ୟନ୍ତ ସମ୍ବେଦନହୀନ ଓ ଦୁର୍ଭାଗ୍ୟଜନକ ବୋଲି ବିଜେଡି ଅଭିଯୋଗ କରିଛି। ଏହି ଘଟଣାକୁ ନେଇ ସମ୍ବଲପୁର ରାଜନୀତି ଏବେ ବେଶ୍ ସରଗରମ ହୋଇପଡ଼ିଛି।

