ରାଉରକେଲା ୩୦/୭,(ଉତ୍କଳ ସମାଚାର)ରାସ୍ତା କଡ଼ରେ ପଡିରହିଥିବା ଅଳିଆକୁ ଜେସିବି ଦ୍ବାରା ରାଉରକେଲା ମହାନଗର ନିଗମ ପକ୍ଷରୁ ଉଠାଯିବା ପରେ ପାଣି ନିଷ୍କାସନ ସୁରୁଖୁରୁରେ ହୋଇପାରିଛି। ଲଘୁଚାପ ଯୋଗୁଁ ରାଉରକେଲା ସହରରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଇସ୍ପାତ ସହରାଞ୍ଚଳ ଏବଂ ରାଉରକେଲା ସହର ସମେତ ଜନବସତି ଅଞ୍ଚଳରେ ବର୍ଷା ପାଣି ଘର ଭିତରେ ପ୍ରବେଶ କରିଥିଲା। ବର୍ଷାପାଣି ବିଭିନ୍ନ ଜନବସତି ଅଞ୍ଚଳରେ ପ୍ରବେଶ କରିଥିଲା। ବିଶେଷକରି ପାନପୋଷର ଜଗନ୍ନାଥ କଲୋନୀ, ଗୋପବନ୍ଧୁପାଲି ଖଟାଲ ବସ୍ତି, ରାଉରକେଲା ରେଳ ଷ୍ଟେସନର ପଞ୍ଚମ ଫାଟକ ସମ୍ମୁଖ ଜନବସତି, ଟିସିଆଇ ଛକ ନିକଟସ୍ଥ ବସ୍ତି, ବାଲୁଘାଟ ବସ୍ତିରେ ପ୍ରବଳ ବର୍ଷା ଯୋଗୁଁ ବର୍ଷା ପାଣି ପ୍ରବେଶ କରିଥିଲା। ଏଥିସହିତ ଆରଏସପି ଡମ୍ପିଂ ୟାର୍ଡକୁ ଯାଇଥିବା ରାସ୍ତା କଡ଼ରେ ଥିବା ପାଚେରୀ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ଅନେକ ସ୍ଥାନରେ ଆରଏସପି ପାଚେରୀ ତଳ ଅଂଶରୁ ପାଣି ବାହାରି ରାସ୍ତା ଉପରେ ପ୍ରବାହିତ ହୋଇ ଡମ୍ପିଂ ୟାର୍ଡରୁ ରାଉରକେଲାକୁ ଯାଉଥିବା ରାସ୍ତା ଉପରେ ପାଣି ମଧ୍ୟ ପ୍ରବାହିତ ହେଉଛି। ଫଳରେ ସେହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଆରଏସପି ପକ୍ଷରୁ ଆଜି ଜେସିବି ସାହାଯ୍ୟରେ ସଫେଇ କାର୍ଯ୍ୟ କରାଯାଇଛି। ରିଙ୍ଗ ରୋଡ୍ ପାର୍ଶ୍ୱରେ ଥିବା ଡମ୍ପିଂ ୟାର୍ଡରୁ ଫର୍ଟିଲାଇଜରକୁ ଯାଇଥିବା ରାସ୍ତାରେ ଜମା ହୋଇଥିବା ଅଳିଆକୁ ଆଜି ସଫା କରାଯାଇଛି। ଅଳିଆ ସଫା କରାଯିବା ପରେ ଜମା ହୋଇ ରହିଥିବା ପାଣି ନିଷ୍କାସନ ମଧ୍ଯ କରାଯାଇଥିଲା। ଏହା ରାସ୍ତାରେ ଯାଉଥିବା ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ପ୍ରତିଦିନ ହଜାର ହଜାର ଲୋକ ଡମ୍ପିଂ ୟାର୍ଡକୁ ଯାଉଥିବା ଆରଏସପି କର୍ମଚାରୀଙ୍କ ସମେତ ଫର୍ଟିଲାଇଜର ଦେଓଗାଁ ଏବଂ ଲାଠିକଟା ଯାଉଥିବା ଲୋକମାନେ ବହୁତ ଆଶ୍ୱସ୍ତି ପାଇଥିଲେ। ଛୋଟ ଯାନବାହନ ସହିତ ବାଇକ୍ ଆରୋହୀମାନେ ଉକ୍ତ ଅଞ୍ଚଳକୁ ଯିବା ପାଇଁ ଏହି ରାସ୍ତା ବ୍ୟବହାର କରିଥାନ୍ତି। ଲୋକମାନେ ଆରଏସପିର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।

