ରାଉରକେଲା,2//8,(ଉତ୍କଳ ସମାଚାର) ଅଗଷ୍ଟ ୨: ରାଉରକେଲା ରେଳଷ୍ଟେସନ ନିକଟସ୍ଥ ଅମର ଭବନ ପ୍ରାଙ୍ଗଣରେ ରବିବାର ସକାଳ ୯ଟାରେ ପରମ ପିତା ପରମେଶ୍ୱର ଏବଂ ସର୍ବଶ୍ରୀ ଆଶୁତୋଷ ମହାରାଜ ଜୀଙ୍କ ଅସୀମ କୃପାରୁ ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥାନ, ପ୍ରାନ୍ତୀୟ ଶାଖା ସମ୍ବଲପୁର (ଓଡ଼ିଶା) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଗୁରୁ ପୂର୍ଣ୍ଣିମା ମହୋତ୍ସବ ଶ୍ରଦ୍ଧା, ଭକ୍ତି ଏବଂ ଆଧ୍ୟାତ୍ମିକ ଉଲ୍ଲାସ ସହକାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଦିଲ୍ଲୀ ଗୁରୁ ଆଶ୍ରମରୁ ଆସିଥିବା ଗୁରୁ ଭଉଣୀମାନେ ନିଜର ମଧୁର ବାଣୀ ଏବଂ ସଙ୍ଗୀତମୟ ସତ୍ସଙ୍ଗ ମାଧ୍ୟମରେ ଗୁରୁ ମହିମାର ଭାବପୂର୍ଣ୍ଣ ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ ଗୁରୁ ହିଁ ମାନବ ଜୀବନକୁ ସଠିକ୍ ଦିଗ ପ୍ରଦାନ କରିଥା’ନ୍ତି ଏବଂ ଆତ୍ମଜ୍ଞାନର ପ୍ରକାଶ ଦ୍ୱାରା ଜୀବନକୁ ସାର୍ଥକ କରିଥା’ନ୍ତି।ସତ୍ସଙ୍ଗ ସମୟରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ଭକ୍ତିରସରେ ବିଭୋର ହୋଇପଡ଼ିଥିଲେ ଏବଂ ଗୁରୁ ଚରଣରେ ନିଜର ଶ୍ରଦ୍ଧା ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଆଧ୍ୟାତ୍ମିକ ପରିବେଶର ଆନନ୍ଦ ଉଠାଇବା ସହିତ ଗୁରୁ ପୂର୍ଣ୍ଣିମାର ପବିତ୍ର ଅବସରରେ ଆଶୀର୍ବାଦ ଗ୍ରହଣ କରିଥିଲେ।

