ରାଉରକେଲା:5//8,(ଉତ୍କଳ ସମାଚାର) ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆହ୍ବାନ ରେ ବିଭିନ୍ନ ଦାବି ନେଇ ଭୁବନେଶ୍ବର ଠାରେ ଆସନ୍ତା ୧୬ ତାରିଖରେ ବିଶାଳ ଶିକ୍ଷକ ସମାବେଶ ଓ ଅହୋରାତ୍ର ଗଣଧାରଣା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଦାବି ଗୁଡିକ ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ ଓ ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ସହିତ ସରକାରୀ କରଣ, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଓ ଗ୍ରେଡ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମ ର ପୁନଃ ପ୍ରଚଳନ ଓ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ ଟି ନେସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଆଦି ଅନ୍ତର୍ଭୁକ୍ତ। ଏନେଇ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ସଭାପତି ନିମାଇଁ ଚରଣ ନାୟକଙ୍କ ସଭାପତିତ୍ବ ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମନ୍ୱୟ ସମିତି ର ସଭାପତି ସୁକାନ୍ତ କୁମାର ବେହେରା, ସମିତି ର ଆବାହକ ତଥା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ବାଇଁ,ଶରତ କୁମାର ସାହୁ, ସୁବାସ ଚନ୍ଦ୍ର ସ୍ବାଇଁ, ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ, ନିତ୍ୟାନନ୍ଦ ବେହେରା,ପ୍ରଣବ କୁମାର ଜେନା, ରମାକାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଏହି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ରଖିବାରେ ବିଫଳ, ମାନବିକତା ଓ ଶିକ୍ଷକ ଜାତିର ସ୍ବାଭିମାନ ପାଇଁ ଏ ଲଢେଇ ବୋଲି ଆହ୍ବାନ ଦିଆଯାଇଛି। ଏଥିପାଇଁ ଅନୁଷ୍ଠାନ ତରଫରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେହିପରି ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୫ ଗୋଟି ଲେଖାଏଁ ଜିଲ୍ଲାକୁ ନେଇ ଦୀର୍ଘମିଆଦି ଆନ୍ଦୋଳନ ପାଇଁ ଆଭାସୀ ବୈଠକ ଓ ୧୬ ତାରିଖରେ ଭୁବନେଶ୍ଵର ସ୍ଥିତ ଗାନ୍ଧୀ ମାର୍ଗ ଠାରେ ମହାସମାବେଶ ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅହୋରାତ୍ର ଗଣଧାରଣା କରାଯିବ ବୋଲି ସୂଚନା ଦିଆଯାଇଛି।

