ରାଉରକେଲା ୬/୮,(ଉତ୍କଳ ସମାଚାର) ଜିଲ୍ଲାର ବିକାଶ ଦାବି କରି ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ରାଉରକେଲା ଜୋନାଲ କମିଟି ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ଯରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସୁନ୍ଦରଗଡ଼ ଜିଲ୍ଲା ଏକ ଅନୁନ୍ନତ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ । ଖଣି, ଖାଦାନ, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦଭରା ଏହି ଜିଲ୍ଲାରେ ଅଧିକାଂଶ ଅଦିବାସୀ ସମ୍ପ୍ରଦାୟର ଲୋକ ଜୀବିକା ନିର୍ବାହ କରନ୍ତି। ଏହି ଜିଲ୍ଲାରେ ରାଉରକେଲା ଇସ୍ପାତ କାରଖାନା, ଏନ୍.ଆଇ.ଟି ଭଳି ଜାତୀୟ ସ୍ତରର ଶିକ୍ଷା ଅନୁଷ୍ଠାନ ଠାରୁ ଆରମ୍ଭ କରି ଲୁହା ଓ କୋଇଲା ଖଣି ସହିତ ପ୍ରଚୁର ଜଳ ସମ୍ପଦ ଥାଇ ମଧ୍ୟ ବେକାରୀ ସମସ୍ୟା, ଯୁବତୀ ଚାଲାଣ, ସରକାରୀ ଅର୍ଥ ବାଟମାରଣା ଭଳି ଘଟଣା ସହ ଓଡ଼ିଶାରେ ଏକ ନମ୍ବରରେ ଅଛି। ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଷୁଡ଼ି ପଡ଼ିବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟକୁ ଅଧିକ ରାଜ୍ୟସ୍ବ ସୁନ୍ଦରଗଡ ଜିଲ୍ଲାରୁ ଯାଉଥିଲେ ମଧ୍ୟ ରେଳ, ପର୍ଯ୍ୟଟନ ଶିଳ୍ପ, ଶିକ୍ଷା ଓ କୃଷି କ୍ଷେତ୍ରରେ ଯେଭଳି ବିକାଶ ହେବା କଥା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ତରଫରୁ ଅନୁରୋଧ କରାଯାଇଛି କି ରାଉରକେଲା ସ୍ମାଟ ସିଟି ଓ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ସିପିଆଇ ପକ୍ଷରୁ ଦାବି କରାଯାଇଛି। ପ୍ରମୁଖ ଦାବିରେ ରହିଛି, ରାଉରକେଲା ଇସ୍ପାତ କାରଖାନରେ ଖାଲି ପଡ଼ିଥିବା ପଦବୀ ପୂରଣ ସହ ନୂତନ ନିଯୁକ୍ତି ପ୍ରଦାନ। ସୁନ୍ଦରଗଡ଼ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶକୁ ଅଧିକ ଧ୍ୟାନ ଦିଆଯିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ସେହିପରି ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନ୍ରେ ତୁରନ୍ତ ନିର୍ବାଚନ କରାଇବାକୁ ଦାବି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବନ୍ଦ କରାଯିବା ସହିତ ବେକାରୀଙ୍କୁ କର୍ମନିଯୁକ୍ତି ଓ ରୋଜଗାର ଦେବା ପାଇଁ ଦାବି କରାଯାଇଛି। ସରକାରୀ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ମହିଳା ସଂରକ୍ଷଣ ପାଇଁ ନାରୀ ଶକ୍ତି ବନ୍ଦନ ଆଇନ-୨୦୨୩କୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ପାଇଁ ଦାବି କରାଯାଇଛି। ଇଥିନଲ୍ ମିଶ୍ରିତ ପେଟ୍ରୋଲ ବିକ୍ରି ବନ୍ଦ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରାଯିବା ସହିତ ଶ୍ରମିକ ବିରୋଧୀ ଶ୍ରମ କୋଡ୍ ରଦ୍ଦ କରି ଶ୍ରମିକଙ୍କ ଅଧିକାର ସୁରକ୍ଷା କରାଯିବା ପାଇଁ ଦାବି କରାଯାଇଛି। ନିର୍ବାଚନରେ ବାଲଟ୍ ପେପର ବ୍ୟବସ୍ଥା ପୁନଃ ପ୍ରଚଳନ କରାଯିବା ପାଇଁ ଦାବି କରାଯାଇଛି। ସାମ୍ପ୍ରଦାୟିକ ଓ ଜାତିଆଣ ବିଦ୍ବେଷ, ଘୃଣା, ହିଂସା ଏବଂ ଭିଡ଼ ହତ୍ୟା ବନ୍ଦ କରାଯିବା ସହିତ ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ କରାଯାଇ ନ୍ୟାୟ ପ୍ରଦାନ କରାଯିବାକୁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଭାରତର ସ୍ବାଧୀନତା, ସାର୍ବଭୌମତ୍ବ, ଗଣତନ୍ତ୍ର, ସମାଜବାଦ, ଧର୍ମନିରପେକ୍ଷତା ଓ ସମ୍ବିଧାନର ମୂଲ୍ୟବୋଧର ସୁରକ୍ଷା କରିଯିବା ସହ ଆଦିବାସୀ ଅଧୁଷିତ ଅଞ୍ଚଳରେ ପେଷା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନ୍ କାର୍ଯ୍ୟକାରୀ କରାଯିବାକୁ ଦାବି କରାଯାଇଛି ।ଖଣି, ଜମି, ଜଙ୍ଗଲ ଓ ଜଳ ଲୁଣ୍ଠନ ବନ୍ଦ କରାଯିବାକୁ ଦାବି କରାଯାଇଛି । ରାଜ୍ୟର ପାଠ୍ୟ ପୁସ୍ତକରେ ଦେଖାଦେଇଥିବା ବିଭ୍ରାନ୍ତିକର ତଥ୍ୟ ପାଇଁ ଗଣଶିକ୍ଷାମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରାଯାଇଛି। ବିସ୍ତାପିତଙ୍କୁ ଉପଯୁକ୍ତ କ୍ଷତି ପୂରଣ ସହିତ ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା। ପିତାମହଲ ଡ୍ୟାମର ସୁରକ୍ଷା ସହିତ ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ଦାବି କରାଯାଇଛି । ସେହିପରି ଏନ ଟି ଏକୁ ରଦ୍ଦ କରାଯିବାକୁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।ଆଜିର ଏହି ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରଦୋଷ କୁମାର ମହାନ୍ତି, ଅନୁପମ ଦତ୍ତ, ମହେଶ୍ବର ରାଉତ, ସଦାନନ୍ଦ ସାହୁ, ରମେଶ ଚନ୍ଦ୍ର ସେଠୀ, ଭାଗ୍ୟଧର ରାଉତ, କାଶିନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

