ରାଉରକେଲା:6//8,(ଉତ୍କଳ ସମାଚାର), ଦୁଇଟି ନିଲାମ ହୋଇଥିବା ଟ୍ରକର ନୂଆ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ୨୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଦୁଇ କର୍ମଚାରୀଙ୍କୁ ଆଜି ଓଡିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଆଜି ଅର୍ଥାତ୍ ୨୦୨୬ ଅଗଷ୍ଟ ୫ ତାରିଖର କିଛି ସମୟ ପୂର୍ବରୁ, ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ଯାଳୟ (RTO)ର ଡିଲିଂ କ୍ଲର୍କ-କମ୍-ନାଇଟ୍ ୱାଚର ନିରଞ୍ଜନ ସଣ୍ଢ ଏବଂ ଆଇଟି ଏକଜିକ୍ୟୁଟିଭ୍ ଧର୍ମେନ୍ଦ୍ର କୁମାର ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଦ୍ୱାରା ସମ୍ପ୍ରତି ନିଲାମ ବିକ୍ରୟ ମାଧ୍ୟମରେ କିଣାଯାଇଥିବା ଦୁଇଟି ଟ୍ରକର ନୂତନ ପଞ୍ଜିକରଣ ପ୍ରମାଣପତ୍ର (FRC) ଆବେଦନର ପ୍ରକ୍ରିୟାକରଣ ପାଇଁ ମାଲିକଙ୍କଠାରୁ ୨୬,୦୦୦ (ଛବିଶ ହଜାର) ଟଙ୍କା ଲାଞ୍ଚ ଦାବି କରି ନେବା ସମୟରେ ଉଭୟଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ ପୂର୍ବ ମାଲିକ ବ୍ୟାଙ୍କକୁ ଋଣ ପରିଶୋଧ କରିବାରେ ଖିଲାପ କରିବା ପରେ ମାଲିକ ସମ୍ପ୍ରତି ଉକ୍ତ ବ୍ୟାଙ୍କରୁ ଦୁଇଟି ନିଲାମ ଟ୍ରକ୍ କିଣିଥିଲେ। ଓଡିଶା ସରକାରଙ୍କ ପରିବହନ ବିଭାଗର ନିୟମ ଅନୁଯାୟୀ, ନିଲାମ ହୋଇଥିବା ଟ୍ରକଗୁଡ଼ିକର ନୂତନ ମାଲିକ, ଓଡ଼ିଶାର ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ଯାଳୟ (RTO)ରେ ତାଙ୍କ ଦୁଇଟି ଟ୍ରକ୍ ପାଇଁ FRC ପାଇଁ ଆବେଦନ କରିଥିଲେ। ଟ୍ରକର ମାଲିକ ପରିବହନ କର୍ମଚାରୀ ଶ୍ରୀ ସଣ୍ଢଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ, ଡିଲିଂ କ୍ଲର୍କ FRC ପ୍ରଦାନ ପାଇଁ ତାଙ୍କର ଆବେଦନଗୁଡ଼ିକୁ ପ୍ରକ୍ରିୟାକରଣ କରୁନଥିଲେ। ଅପରପକ୍ଷରେ ଶ୍ରୀ ସଣ୍ଢ ମାଲିକଙ୍କଠାରୁ ୨୬ ହଜାର ଟଙ୍କା (ଅର୍ଥାତ୍ ପ୍ରତି ଟ୍ରକ୍ ପାଇଁ ୧୩ ହଜାର ଟଙ୍କା) ଲାଞ୍ଚ ଦାବି କରିଥିଲେ। ଦାବି କରାଯାଇଥିବା ଲାଞ୍ଚରେ କ୍ଷୁବ୍ଧ ହୋଇ, ମାଲିକ (ଅଭିଯୋଗକାରୀ) ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହି ଘଟଣାକୁ ଓଡ଼ିଶା ଭିଜିଲାନ୍ସ ସଙ୍ଗୀନ ନେବା ସହିତ ଓଡିଶା ଭିଜିଲାନ୍ସର ଏକ ଦଳ ଆଜି ଅଭିଯୁକ୍ତ ଶ୍ରୀ ସଣ୍ଢ ଡିଲିଂ କ୍ଲର୍କ ଏବଂ ତାଙ୍କ ସହଯୋଗୀ ଶ୍ରୀ ବେହେରା, ଆଇଟି ଏକଜିକ୍ୟୁଟିଭ ଶ୍ରୀ ବେହେରାଙ୍କୁ ୨୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା। ସେମାନଙ୍କ ଠାରୁ ସମସ୍ତ ଦାଗି ଅର୍ଥାତ୍ ରଙ୍ଗ ବୋଳା ଲାଞ୍ଚ ୨୬ହଜାର ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହି ଟ୍ରାପ୍ ପରେ, DA ଦୃଷ୍ଟିରୁ ଡିଲିଂ କ୍ଲର୍କ ନିରଞ୍ଜନ ସଣ୍ଢଙ୍କ ସହ ଜଡିତ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତଲାସ ଚାଲିଛି। ରାଉରକେଲା ଭିଜିଲାନ୍ସ ଥାନା ମାମଲା ନଂ. ୦୭ ତାରିଖ. ୦୫.୦୮.୨୦୨୬ ୟୁ/ଏସ୍. ୭ ପି.ସି. (ସଂଶୋଧନ) ଆଇନ, ୨୦୧୮ ଅନୁସାରେ ରେଜିଷ୍ଟ୍ରି କରାଯାଇଛି। ଅଭିଯୁକ୍ତ ନିରଞ୍ଜନ ସଣ୍ଢ ଏବଂ ଧର୍ମେନ୍ଦ୍ର କୁମାର ବେହେରାଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।


