ରାଇଘର ନରସିଂବାଘ. ୧୧/୦୮.(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ବଣ୍ଟନ ହେଉଥିବା ପୁଷ୍ଟିକର ଖାଦ୍ୟର ମାନକୁ ନେଇ ଉଠିଥିବା ଅଭିଯୋଗ ଏବେ ରାଜନୈତିକ ରୂପ ନେଇଛି। ପୋକ ଥିବା ଲଡୁ, ନିମ୍ନମାନର ଛତୁଆ ଓ ଖରାପ ମୁଢ଼ି ବଣ୍ଟନ ହେଉଥିବା ଅଭିଯୋଗକୁ ନେଇ ରାଇଘର ବିଡିଓଙ୍କ ନିକଟରେ ଦାବିପତ୍ର ଦେଇଛି କଂଗ୍ରେସ।କଂଗ୍ରେସ ଦଳର ଯୁବ ନେତା ସନରାଜ ଗଣ୍ଡଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିଡିଓଙ୍କୁ ଭେଟି ଏହି ଅଭିଯୋଗ ଉପରେ ତୁରନ୍ତ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଇଘର ବ୍ଲକର ୩୧୩ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଯୋଗାଇ ଦିଆଯାଉଥିବା ଛତୁଆ, ଲଡୁ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରାଯିବା ଆବଶ୍ୟକ। ନିମ୍ନମାନର ଖାଦ୍ୟ ବଣ୍ଟନ ଅଭିଯୋଗ ଆସିଥିବାରୁ ଏହାର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ମଧ୍ୟ ଦାବି କରାଯାଇଛି। ଏହା ସହ ଗୋଟିଏ ମାତ୍ର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଛତୁଆ ଯୋଗାଣ ହେଉଥିବା ନେଇ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାର ସ୍ୱଚ୍ଛତା ଯାଞ୍ଚ କରିବା ସହ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି। କଂଗ୍ରେସ ଯୁବ ନେତା ସନରାଜ ଗଣ୍ଡଙ୍କ ସହ ଦଳର ବହୁ କର୍ମୀ ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ତେବେ ଖାଦ୍ୟର ମାନ ଖରାପ ଥିବା ଓ ଯୋଗାଣରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଶିଶୁ ଓ ମହିଳାଙ୍କ ପୁଷ୍ଟି ସହ ଜଡ଼ିତ ଏହି ମାମଲାରେ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି।

