ରାଉରକେଲା ୧୬/୮,(ଉତ୍କଳ ସମାଚାର)ରାଜସ୍ଥାନ ପରିଷଦ ପକ୍ଷରୁ ଅମର ଭବନ ପରିସରରେ ହରିଆଳୀ ତୀଜ ମହୋତ୍ସବର ଏକ ଭବ୍ୟ ଆୟୋଜନ କରାଯାଇଥିଲା। ଏହି ତୀଜ ମହୋତ୍ସବର ବିଧିବଦ୍ଧ ଉଦ୍ଘାଟନ ସକାଳ ୧୧ଟାରେ ପରିଷଦର ସଂରକ୍ଷକ ଗୋପାଳ ବଗଡ଼ିଆ, ଅଧ୍ୟକ୍ଷ ଜଗଦୀଶ ହରିତ, ପୂର୍ବତନ ତୀଜ ମହୋତ୍ସବର ସଂଯୋଜିକା ରଶ୍ମି ଖେମାନୀ, ଅନ୍ନପୂର୍ଣ୍ଣା ମାରୋଠିଆ, ଇନ୍ଦୁ ବଗଡ଼ିଆ, କାର୍ଯ୍ୟକ୍ରମ ଚେୟାରମେନ୍ ହେମା ଶର୍ମା, ଶ୍ରୀମତୀ ସୀମା ନରେଡ଼ି, ଶ୍ରୀମତୀ ସରିତା ଖେମାନୀ, ଶ୍ରୀମତୀ ଲତା ମୋଦି, ଶ୍ରୀମତୀ ରକ୍ଷା ଅଗ୍ରୱାଲ, ସଚିବ ମନୀଷ ତୋଦି ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା।ତୀଜ ମେଳା ମଧ୍ୟାହ୍ନ ୩:୦୦ ଟାରୁ ରାତି ୧୦:୦୦ ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରକାରର ଷ୍ଟଲ୍ ମଧ୍ୟ ଲଗାଯାଇଥିଲା। ଯେଉଁଥିରେ ପୋଷାକ, ଘର ସଜ୍ଜା ସାମଗ୍ରୀ, ମେକଅପ୍ ସାମଗ୍ରୀ ସମେତ ଗୃହୋପକରଣ ସାମଗ୍ରୀ, ରାକ୍ଷୀ, ଭଗବାନଙ୍କ ପୋଷାକ ଦୋକାନ ସହିତ ଖାଦ୍ୟ ଷ୍ଟଲ୍ ଏବଂ ଗେମ୍ସ ଷ୍ଟଲ୍ ମଧ୍ୟ ସ୍ଥାପନ କରାଯାଇଥିଲା। ଏହି ତୀଜ ମହୋତ୍ସବର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ପାରମ୍ପରିକ ଦୋଳି, ଯେଉଁଥିରେ ମହିଳାମାନେ ତୀଜ ମେଳାରେ ଦୋଳି ଖେଳିବା ସହିତ ପଶ୍ଚିମବଙ୍ଗରୁ ଆସିଥିବା ନୃତ୍ୟ ନାଟିକା ଏବଂ ଝାଙ୍କିର ଆନନ୍ଦ ଉଠାଇଥିଲେ।ବହୁ ସଂଖ୍ୟାରେ ମହିଳାମାନେ ଏହି ମହୋତ୍ସବରେ ଯୋଗଦେବା ସହିତ କିଣାକିଣି କରିଥିଲେ। ପରିଷଦ ପକ୍ଷରୁ ଲକି ଡ୍ର’ ଏବଂ ‘ଝଟକା ରାଉଣ୍ଡ’ରେ ବିଜୟୀ ହୋଇଥିବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାବ୍ୟତୀତ ଏକ ଭବ୍ୟ ହୋଜି (Housie) କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ରାଜସ୍ଥାନ ମହିଳା ମଣ୍ଡଳ ଏବଂ ରାଜସ୍ଥାନ ପରିଷଦର ଟିମ୍ର ସକ୍ରିୟ ଅବଦାନ ରହିଥିଲା।ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ପରିଷଦର ଉପାଧ୍ୟକ୍ଷ ବିନୋଦ ନରେଡ଼ି, ସଚିବ ତଥା ସହ-ସଚିବ ଅଶୋକ ମୋଦି, କୋଷାଧ୍ୟକ୍ଷ ନଟବର ବଗଡ଼ିଆ, ସହ-କୋଷାଧ୍ୟକ୍ଷ ଅଶୋକ ଅଗ୍ରୱାଲ ସମେତ କାର୍ଯ୍ୟକାରିଣୀ ସଦସ୍ୟମାନେ ଉଦ୍ଘାଟନୀ ସମାରୋହରେ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ସାଂସ୍କୃତିକ କମିଟିର ସଂଯୋଜକ କିଶନ ଅଗ୍ରୱାଲ ଏବଂ ସହ-ସଂଯୋଜକ ରମେଶ ଚାଣ୍ଡକଙ୍କର ମଧ୍ୟ ସକ୍ରିୟ ଅବଦାନ ରହିଥିଲା।

