ରାଉରକେଲା ୧୬/୮,(ଉତ୍କଳ ସମାଚାର)ଦେଓଗାଁବର ତରକେରା ସ୍ଥିତ ଧବଳେଶ୍ୱର ଶିବ ମନ୍ଦିରରେ ଆଜି ସକାଳେ ଭୋଳାନାଥଙ୍କ ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧ଟାରୁ ଅଗ୍ରୱାଲ ପରିବାର ପକ୍ଷରୁ ଏକ ବିଶାଳ ଭଣ୍ଡାରାର ଆୟୋଜନ କରାଯାଇଥିଲା। ଏହାକୁ ନେଇ ଭୋଳାନାଥଙ୍କର ଫୁଲରେ ଏକ ଅଲୌକିକ ଶୃଙ୍ଗାର କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜାରୀ ବୀରଚି ଦେହୁରୀ, ବିସି କେଶନ ଦେହୁରୀ, ଜଗନ୍ନାଥ ଦେହୁରୀ, ବସନ୍ତ ଦେହୁରୀ ଏବଂ ମୋତି ମହାରାଜଙ୍କ ଦ୍ୱାରା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା।ଏହି ପୂଜାର୍ଚ୍ଚନାରେ ଅଗ୍ରୱାଲ ପରିବାରର ସୁରେଶ ଅଗ୍ରୱାଲ, ଜଗଦୀଶ ଅଗ୍ରୱାଲ, ରମେଶ ଅଗ୍ରୱାଲ, ବାବୁଲାଲ ଅଗ୍ରୱାଲ ଏବଂ ଲେଖରାମ ଅଗ୍ରୱାଲ ନିଜ ପରିବାର ସହିତ ସାମିଲ ହୋଇଥିଲେ। ଏହାପରେ ମଧ୍ୟାହ୍ନ ୧:୦୦ ଟାରେ ପଣ୍ଡିତମାନଙ୍କୁ ପ୍ରସାଦ ଗ୍ରହଣ କରାଇବା ପରେ ଭକ୍ତମାନେ ପ୍ରସାଦ ଗ୍ରହଣ କରିଥିଲେ। ୫୦୦ରୁ ଅଧିକ ଭକ୍ତ ଭୋଳାନାଥଙ୍କର ପ୍ରସାଦ ଗ୍ରହଣ କରିଥିଲେ।ଆଜି ଏହି ଭଣ୍ଡାରାକୁ ନେଇ ଦେଓଗାଁବର ଶିବ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସେପଟେ ମନ୍ଦିର କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ମନ୍ଦିରରେ ପରିଚ୍ଛନ୍ନତା ଏବଂ ପୂଜାର୍ଚ୍ଚନାର ସମସ୍ତ ବ୍ୟବସ୍ଥା ବିଧିବଦ୍ଧ ଭାବେ କରାଯାଇଥିଲା।

