ସମ୍ବଲପୁର,17//8,(ଉତ୍କଳ ସମାଚାର),(ସରୋଜ ସାହୁ): ଓଡ଼ିଶା ରାଜ୍ୟ ପଛୁଆ ଅଞ୍ଚଳ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ଅନୁକୁଲ୍ୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ଭୁଖ ଗଣଧାରଣା କରାଯିବା ସହିତ ଦାବୀ ଦିବସ ପାଳିତ ହୋଇଯାଇଛି । ଏଥିରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାର ପ୍ରତିନିଧି ମାନେ ଯୋଗଦେଇଥିଲେ । ସଂଘର ସଭାପତି ପ୍ର. ସୁଦର୍ଶନ ପାଣିଗାହୀ ଙ୍କ ପରିଚାଳନା ଓ କାର୍ଯ୍ୟକାରୀ ସଭାପତି ଡ଼ଃ ଅଶ୍ୱିନୀ କୁମାର ସୁପକାରଙ୍କ ସଂଯୋଜନାରେ ଆୟୋଜିତ ଜାଗରଣ ସଭାରେ ମୁଖ୍ୟବକ୍ତା ଭାବରେ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଯୋଗଦେଇ ଶିକ୍ଷାନୀତି ରେ ବୈଚିତ୍ରତା, କଲେଜ ଶିକ୍ଷକ ତଥା କର୍ମଚାରୀ ମାନଙ୍କର ଯନ୍ତ୍ରଣା ଏକତା ଆଧାରିତ ସଂଘବଦ୍ଧ ଅଭିଯାନ ଉପରେ ଆଲୋକପାତ କରିଥିଲେ । ସଂଘର ସାଧାରଣ ସମ୍ପାଦକ ପ୍ର. ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଓଡିଶା ରାଜ୍ୟରେ ସର୍ବସାଧାରଣଙ୍କ ଉଦ୍ୟମରେ ଗଢିଉଠିଥିବା ଅନୁଦାନ ପ୍ରାପ୍ତ ଜୁନିଅର ଓ ଡିଗ୍ରୀ କଲେଜ ଅଧ୍ୟାପକ, କର୍ମଚାରୀ ତଥା ଡି.ଇ. ଓ ମାନଙ୍କର ଅନୁଦାନ ଚାକିରୀ ସର୍ତ୍ତାବଳୀ ସମସ୍ୟା, ପଦୋନ୍ନତି-ପେନ୍ସେନ୍ ର ଅସୁବିଧା କେଜି ଠାରୁ ପିଜି ପର୍ଯ୍ୟନ୍ତ ଫି ଛାଡ଼ ନିଷ୍ପତ୍ତି ର କୁପଭାବ ଏବଂ ବିଭିନ୍ନ ଅସୁବିଧା ତଥା ତୃଟି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ର. ଶଶିକାନ୍ତ ପଣ୍ଡା ୧୨ ଦଫା ସମ୍ମଳିତ ଦାବୀ ପତ୍ର ପାଠ କରିଥିଲେ । ସଭାପତି ପ୍ର.ପାଣିଗ୍ରାହୀ ଶିକ୍ଷକ କର୍ମଚାରୀ ମାନଙ୍କର ଏକତା ଓ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ଅରୁଣ ନାୟକ, ଆବାହକ ପ୍ର. ଅଶୋକ କୁମାର ବହିଦାର, ନିହାର ମହାନ୍ତି ଓ ଡିଇଓ ସଂଘର ପ୍ରତିନିଧି ପ୍ରଦୀପ ପୁଝାରୀ ଶିକ୍ଷାନୀତି ରେ ତ୍ରୁଟି ବିଚ୍ୟୁତି, ଡିଭାଇଡ ଏଣ୍ଡ ରୁଲ୍ ପୋଲିସି ଏବଂ ବିଭିନ୍ନ ଦାବୀ ତଥା ଅଧିକାର ବିଶ୍ଳେଷଣ କରିଥିଲେ । ସଭାସ୍ଥଳ ନିକଟକୁ ଆସି ଆର୍ ଡ଼ି ସି ଙ୍କ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ସଂଘର କର୍ମକର୍ତ୍ତା ମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ମାରକ ତଥା ଦାବୀପତ୍ର ଗ୍ରହଣ କରିଥିଲେ । ସଂଘର ଉପସଭାପତି ଡ଼ଃ ଦୀପେନ୍ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ର. ପୂର୍ଣ୍ଣଚନ୍ଦ୍ର ସେଠ, ଜ୍ଞାନ ରଞ୍ଜନ ସାମଲ, ସୁର୍ଯ୍ୟ ନାରାୟଣ ଅଗସ୍ତି, ଦିଲିପ କୁମାର ଗୌର, ଡ଼ଃ ବସନ୍ତ କୁମାର ଦାସ ଓ ପ୍ର. ସିଦ୍ଧାର୍ଥ ପଣ୍ଡା ସୁଚିନ୍ତିତ ମତାମତ ରଖିବା ସହିତ ସହଯୋଗ କରିଥିଲେ ।

