ନବରଙ୍ଗପୁର,7//9,(ଉତ୍କଳ ସମାଚାର):ଅଗଷ୍ଟ ୨୦୨୬ ମାସର ଓଡ଼ିଶା ଷ୍ଟେଟ ୱର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ (OSWAS) ପ୍ରଦର୍ଶନ ଆଧାରରେ ସରକାରୀ ଫାଇଲ୍ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି।ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ OSWASର ସୁଚାରୁ ବ୍ୟବହାର ଫଳରେ ଫାଇଲ୍ ପ୍ରକ୍ରିୟାକରଣ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଗତିଶୀଳତା ଆସିଛି। ଅଗଷ୍ଟ ମାସରେ ନବରଙ୍ଗପୁର କଲେକ୍ଟୋରେଟ୍ର ପ୍ରତିଷ୍ଠାନ ଶାଖା ୧,୭୪୪ଟି, ସାଧାରଣ ଓ ବିବିଧ ଶାଖା ୧,୨୪୧ଟି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ୧,୧୦୮ଟି ଫାଇଲ୍ ପ୍ରକ୍ରିୟାକରଣ କରିଛନ୍ତି।ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ପକ୍ଷରୁ ୧,୧୩୨ଟି, CDMO & PHO କାର୍ଯ୍ୟାଳୟ ପକ୍ଷରୁ ୧,୦୩୪ଟି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୬୮୮ଟି ଫାଇଲ୍ ପ୍ରକ୍ରିୟାକରଣ କରାଯାଇଛି।ବ୍ଲକ୍ ସ୍ତରରେ ନବରଙ୍ଗପୁର ପଞ୍ଚାୟତ ସମିତି ୭୪୨ଟି, ଉମରକୋଟ ପଞ୍ଚାୟତ ସମିତି ୬୨୨ଟି ଏବଂ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ୫୫୧ଟି ଫାଇଲ୍ ପ୍ରକ୍ରିୟାକରଣ କରିଛନ୍ତି। ତହସିଲ୍ ସ୍ତରରେ ଉମରକୋଟ ତହସିଲ୍ ୬୩୬ଟି, ନନ୍ଦାହାଣ୍ଡି ତହସିଲ୍ ୪୮୫ଟି ଏବଂ ଚନ୍ଦାହାଣ୍ଡି ତହସିଲ୍ ୪୧୪ଟି ଫାଇଲ୍ ପ୍ରକ୍ରିୟାକରଣ କରିଛନ୍ତି। ସେହିପରି ନବରଙ୍ଗପୁର ପୌରପାଳିକା ପକ୍ଷରୁ ୮୧୯ଟି ଫାଇଲ୍ ପ୍ରକ୍ରିୟାକରଣ କରାଯାଇଛି।OSWAS ବ୍ୟବସ୍ଥା ମାଧ୍ୟମରେ ସରକାରୀ ଫାଇଲ୍ର ଡିଜିଟାଲ୍ ଗତିବିଧି, ଫାଇଲ୍ର ସ୍ଥିତି ଅନୁଧ୍ୟାନ, ନିଷ୍ପତ୍ତି ପ୍ରକ୍ରିୟାର ତଦାରଖ ଏବଂ ସମୟୋପଯୋଗୀ କାର୍ଯ୍ୟ ସମ୍ପାଦନ ସୁନିଶ୍ଚିତ ହୋଇପାରୁଛି। ଏହା ଦ୍ୱାରା କାଗଜର ବ୍ୟବହାର ହ୍ରାସ ପାଇବା ସହିତ କାର୍ଯ୍ୟାଳୟରେ ପାରଦର୍ଶିତା, ଉତ୍ତରଦାୟିତ୍ୱ ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଉଛି।ଏହି ସଫଳତା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡ. ମହେଶ୍ୱର ସ୍ୱାଇଁ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସରକାରୀ କାର୍ଯ୍ୟରେ OSWASର ସର୍ବାଧିକ ଓ ସୁଚାରୁ ବ୍ୟବହାର ଜାରି ରଖି ଫାଇଲ୍ ପ୍ରକ୍ରିୟାକରଣକୁ ଅଧିକ ତ୍ୱରିତ ଓ ଦକ୍ଷ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।ଏହି ଅବସରରେ OSWAS ମାଧ୍ୟମରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ଡେପୁଟି କଲେକ୍ଟର ସମିନା ଅଖତରୀ, ଡେପୁଟି କଲେକ୍ଟର ନିବେଦିତା ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, CDM & PHO ଡ. ପ୍ରଫୁଲ୍ଲ କୁମାର ପାଢ଼ୀ, BDO ନବରଙ୍ଗପୁର ସୁନୀଲ ଖରା, BDO ଉମରକୋଟ ମନୋଜ କୁମାର ମେହେର, BDO ନନ୍ଦାହାଣ୍ଡି ଖିରୋଦ ଚନ୍ଦ୍ର ସାହୁ, ତହସିଲଦାର ଉମରକୋଟ ମଘବାନ ବାଘ, ତହସିଲଦାର ନନ୍ଦାହାଣ୍ଡି ଚନ୍ଦ୍ର ଦାସ ମହାନନ୍ଦିଆ, ତହସିଲଦାର ଚନ୍ଦାହାଣ୍ଡି ସହଦେବ କୁଟ୍ରୁକା ଏବଂ ନବରଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ରହି OSWASର ସୁଚାରୁ ବ୍ୟବହାର ମାଧ୍ୟମରେ ସରକାରୀ କାର୍ଯ୍ୟରେ ଅଧିକ ଦକ୍ଷତା ଓ ସ୍ୱଚ୍ଛତା ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଜିଟାଲ୍ ପ୍ରଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ସରକାରୀ ସେବା ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରିତ, ପାରଦର୍ଶୀ ଓ ଉତ୍ତରଦାୟୀ କରିବା ଦିଗରେ OSWASର ପ୍ରଭାବଶାଳୀ ବ୍ୟବହାର ଜାରି ରହିବ ବୋଲି ପ୍ରକାଶ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶ, ଜିଲ୍ଲା ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

