କେନ୍ଦୁଝର,8//9,(ଉତ୍କଳ ସମାଚାର)ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଆଜି ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝରଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ସମାଜର ପ୍ରତ୍ୟେକ ନାଗରିକଙ୍କୁ ସାକ୍ଷର କରିବା ଏବଂ “ସମସ୍ତଙ୍କ ପାଇଁ ଶିକ୍ଷା”ର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମର ଶୁଭାରମ୍ଭରେ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଏକ ବିଶାଳ ସାକ୍ଷରତା ସଚେତନତା ରାଲି ବାହାରିଥିଲା। ରାଲିରେ ସ୍ୱତନ୍ତ୍ର ପ୍ରଚାର ଯାନ ସହିତ ମାଇକ୍ ମାଧ୍ୟମରେ ସାକ୍ଷରତା ସମ୍ପର୍କିତ ସଚେତନତା ବାର୍ତ୍ତା, ପ୍ରେରଣାଦାୟକ ଗୀତ ଓ ସ୍ଲୋଗାନ ପ୍ରଚାର କରାଯାଇଥିଲା। ରାଲି ମାଧ୍ୟମରେ ନିରକ୍ଷରତା ବିରୋଧରେ ସଚେତନତା ସୃଷ୍ଟି କରିବା ସହ ସାକ୍ଷରତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ କରାଯାଇଥିଲା।ରାଲି ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିହାଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲାପରବର୍ତ୍ତୀ ସମୟରେ ମଞ୍ଚାସୀନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ପ୍ରତିଷ୍ଠା), ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଯୋଜନା) ଏବଂ ବ୍ଲକ ଶିକ୍ଷା ଅଧିକାରୀ (ସଦର) ନିଜ ନିଜ ଅଭିଭାଷଣ ମାଧ୍ୟମରେ ଉଦ୍ଦେଶ୍ୟ, ପ୍ରାପ୍ତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସାକ୍ଷରତାକୁ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ଭାବେ ନ ଦେଖି ଏହାକୁ ଏକ ସାମାଜିକ ଦାୟିତ୍ୱ ଓ ଜନଆନ୍ଦୋଳନ ଭାବେ ଗ୍ରହଣ କରିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇ ସାକ୍ଷରତାର ଆଲୋକକୁ ସମାଜର ଶେଷ ସ୍ତରର ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ଏହି ଅଭିଯାନକୁ ଏକ ସଶକ୍ତ ଜନଆନ୍ଦୋଳନରେ ପରିଣତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି।
