ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ ପରେ ଆନ୍ଦୋଳନକୁ ଓହ୍ଲାଇଲା ସଂଘ
ରାଜଗାଙ୍ଗପୁର:8//9,(ଉତ୍କଳ ସମାଚାର) ସ୍ଥାନୀୟ ନିଯୁକ୍ତି ସହ ଅଞ୍ଚଳର ବିକାଶ ଓ ବିଭିନ୍ନ ସ୍ଥାନୀୟ ସମସ୍ୟାର ସମାଧାନ ଦାବିରେ ଜନ ଅଧିକାର ସଂଘ ପକ୍ଷରୁ ଏଲ୍ ଆଣ୍ଡ ଟି ଗେଟ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ସହ ଦାବିଗୁଡ଼ିକ ନେଇ ହୋଇଥିବା ଆଲୋଚନା ବିଫଳ ହେବା ପରେ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି।ସଂଘର ଅଭିଯୋଗ ଅନୁଯାୟୀ, ଅଞ୍ଚଳରେ ବୃହତ୍ ଶିଳ୍ପ ଓ ବିଭିନ୍ନ ପ୍ରକଳ୍ପ ଚାଲୁଥିଲେ ମଧ୍ୟ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଆବଶ୍ୟକ ଅନୁପାତରେ ନିଯୁକ୍ତି ମିଳୁନାହିଁ। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା ସହ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ଠୋସ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସଂଘ ଦାବି କରିଛି।ଏହା ସହିତ ଅଞ୍ଚଳର ରାସ୍ତାଘାଟ, ମୌଳିକ ସୁବିଧା, ନିଯୁକ୍ତି ସୁଯୋଗ ଓ ସ୍ଥାନୀୟ ଲୋକଙ୍କ ହିତ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ ସଂଘ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। କମ୍ପାନୀ ଓ ପ୍ରଶାସନ ଅଞ୍ଚଳର ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ କରି ଆନ୍ଦୋଳନକାରୀମାନେ ନିଜ ଦାବି ପୂରଣ ପାଇଁ ଦାବି ରଖିଛନ୍ତି।ଜିଲ୍ଲା ପ୍ରଶାସନ ସହ ଆଲୋଚନା ସତ୍ତ୍ୱେ ଦାବିଗୁଡ଼ିକର ସମାଧାନ ନ ହେବାରୁ ସଂଘ ଆଜିଠାରୁ ଏଲ୍ ଆଣ୍ଡ ଟି ଗେଟ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।ଧାରଣାସ୍ଥଳରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ନିଜ ଦାବି ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଆନ୍ଦୋଳନକୁ ନେଇ ଏଲ୍ ଆଣ୍ଡ ଟି ଗେଟ୍ ସମ୍ମୁଖରେ ପୁଲିସ ପକ୍ଷରୁ ମଧ୍ୟ ନଜର ରଖାଯାଇଛି। ଆଗାମୀ ଦିନରେ ପ୍ରଶାସନ ଓ କମ୍ପାନୀ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ କି ନାହିଁ, ତାହାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି।

