ସମ୍ବଲପୁର,୧୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଏନଏଲସି (ନେଭେଲି ଲିଗ୍ନାଇଟ୍ କର୍ପୋରେସନ) ଦ୍ୱାରା ପରିଚାଳିତ ତାଲାବିରା କୋଇଲା ଖଣି ଅଞ୍ଚଳରେ ଦେଖାଦେଇଥିବା ବିଭିନ୍ନ ଜଟିଳ ସମସ୍ୟାକୁ ନେଇ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଜୟବ୍ରତ ଦେ ଗଭୀର ଚିନ୍ତା ପ୍ରକଟ କରିବା ସହ ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ସମ୍ପର୍କରେ ତଲାବିରା ସଂଗ୍ରାମ ସମିତିର ଏକ ପ୍ରତିନିଧି ଦଳ ଶ୍ରୀ ଦେ ଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି।ଏହି ଆଲୋଚନା ସମୟରେ ଖଣି ପରିଚାଳନାଗତ ତ୍ରୁଟି ଏବଂ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ନେଇ ବିଶେଷ ସମୀକ୍ଷା କରାଯାଇଥିଲା। ବିଶେଷ କରି ଖଣି ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତରିତ ହେଉଥିବା ଲୋକଙ୍କୁ ନ୍ୟାଯ୍ୟ କ୍ଷତିପୂରଣ ଏବଂ ସଠିକ୍ ଥଇଥାନ କରିବା, ସ୍ଥାନୀୟ ଅଞ୍ଚଳର ଯୋଗ୍ୟ ସ୍ଥାନୀୟ ଯୁବକମାନଙ୍କୁ ଖଣି ପ୍ରକଳ୍ପରେ ନିଯୁକ୍ତି ଦିଆଯିବା, ଖଣିଜ ଉତ୍ତୋଳନ ଯୋଗୁଁ ବଢୁଥିବା ପରିବେଶ ପ୍ରଦୂଷଣ ଉପରେ ତୁରନ୍ତ ରୋକ ଲଗାଇବା ଆଦି ଦାବିଗୁଡ଼ିକ ଉପରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଶ୍ରୀ ଦେ ପ୍ରକାଶ କରିଥିଲେ I ଏହି ବୈଠକରେ ତଲାବିରା ବିସ୍ଥାପିତ ସଂଗ୍ରାମ ସମିତିର ପ୍ରମୁଖ ନେତୃବୃନ୍ଦ ମନବୋଧ ବିଶ୍ୱାଳ, କିଶୋର ସାହୁ, କୈଳାସ ବୁଦ୍ଧିଆ, ଉମେଶ ବୁଦ୍ଧିଆ, ରମେଶ ରାଉତ, ନିଲମଣି ବୁଦ୍ଧିଆ, ଜୟରାମ ବୁଦ୍ଧିଆ ଏବଂ ଉଦ୍ଧବ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ସଂଗ୍ରାମ ସମିତି ଆନ୍ଦୋଳନାତ୍ମକ ବ୍ୟାପକ ପନ୍ଥା ଗ୍ରହଣ କରିବ ବୋଲି ବୈଠକରୁ ସୂଚନା ମିଳିଛି।

