ସମ୍ବଲପୁର,୧୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ): କର୍ମକ୍ଷେତ୍ରରେ ଆକସ୍ମିକ ଦୁର୍ଘଟଣା, ଆଘାତ ଓ ଚିକିତ୍ସାଜନିତ ଜରୁରୀ ପରିସ୍ଥିତି ସମୟରେ ତୁରନ୍ତ ପ୍ରାଥମିକ ସହାୟତା ପ୍ରଦାନ ସମ୍ପର୍କରେ କର୍ମଚାରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍, ସମ୍ବଲପୁର ଶାଖା ପକ୍ଷରୁ ଏକ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆୟୁର୍ବେଦ ଚିକିତ୍ସକ ତଥା ତାଲିମଦାତା ଡା. ରାଜାରାମ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଅତିଥି ବକ୍ତା ଓ ପ୍ରଶିକ୍ଷକ ଭାବେ ଯୋଗଦେଇ କର୍ମଚାରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଆବଶ୍ୟକ ତଥ୍ୟ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସାର ମୌଳିକ ପ୍ରଣାଳୀ, ଜରୁରୀକାଳୀନ ପ୍ରତିକ୍ରିୟା, କର୍ମକ୍ଷେତ୍ରରେ ସାଧାରଣ ଆଘାତର ପ୍ରାଥମିକ ପରିଚାଳନା ଏବଂ ଚିକିତ୍ସା ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା ପ୍ରଦାନର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା I ବୀରସୁରେନ୍ଦ୍ର ସାଏ ମାର୍ଗସ୍ଥିତ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ ଇନସ୍ୟୁରାନ୍ସ କାର୍ଯ୍ୟାଳୟର ପ୍ରଥମ ମହଲାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କର୍ମକ୍ଷେତ୍ରରେ ଛୋଟ ଦୁର୍ଘଟଣା କିମ୍ବା ହଠାତ୍ ଅସୁସ୍ଥତା ସମୟରେ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବା ଜୀବନରକ୍ଷାକାରୀ ହୋଇପାରେ। ତେଣୁ ଏଭଳି ସଚେତନତା କାର୍ଯ୍ୟକ୍ରମ କର୍ମଚାରୀଙ୍କ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତି ସାମ୍ନା କରିବାର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ ଆଶା ପ୍ରକାଶ କରାଯାଇଥିଲା।

