ସମ୍ବଲପୁର,୧୧/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ପ୍ରଶାସନିକ ଅବ୍ୟବସ୍ଥା, ଜନପ୍ରତିନିଧିଙ୍କୁ ଅଣଦେଖା ଏବଂ ବିକାଶମୂଳକ କାର୍ଯ୍ୟରେ ଅଚଳାବସ୍ଥା ଅଭିଯୋଗରେ ଯୁଯୁମୁରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଜନପ୍ରତିନିଧିଙ୍କ ଧାରଣା ଗୁରୁବାର ପ୍ରତ୍ୟାହାର ହୋଇଛି। ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଆନ୍ଦୋଳନରତ ଜନପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ବିଡିଓଙ୍କ ଲିଖିତ ଆଶ୍ୱାସନା ପରେ ୯ ଦିନ ଧରି ଚାଲିଥିବା ଆନ୍ଦୋଳନର ଅବସାନ ଘଟିଛି। ଗତ ୨ ତାରିଖରୁ ୨୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ର ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣାରେ ବସିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ନାଏକ ଓ ସରପଞ୍ଚ ସଂଘ ଜିଲ୍ଲା ସଭାପତି ପ୍ରଫୁଲ୍ଲ ମିର୍ଦ୍ଧାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା। ଆଜି ବିଡିଓ ରାଜେଶ ଏକ୍କାଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ଯ୍ୟାଳୟରେ ଜନପ୍ରତିନିଧିମାନଙ୍କ ସହ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଉନ୍ନୟନ ପ୍ରକଳ୍ପ ଆବଣ୍ଟନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବକେୟା ବିଲ୍ ପ୍ରଦାନ, ପେନସନ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ସମସ୍ୟା ଜନପ୍ରତିନିଧିମାନେ ଉଠାଇଥିଲେ। ଦାବିଗୁଡ଼ିକ ସମାଧାନ ହେଲେ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସେମାନେ କହିଥିଲେ।ଜନପ୍ରତିନିଧିଙ୍କ ଦାବି ଶୁଣି ବିଡିଓ ଲିଖିତ ଭାବେ ଆଶ୍ୱାସନ ଦେଇଥିଲେ ଯେ ପ୍ରଚଳିତ ସରକାରୀ ନିୟମ, ନିର୍ଦ୍ଦେଶାବଳୀ, ପାଣ୍ଠିର ଉପଲବ୍ଧତା ଓ ପ୍ରଶାସନିକ ସମ୍ଭାବ୍ୟତା ଆଧାରରେ ଦାବିଗୁଡ଼ିକର ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ନିୟମାନୁଯାୟୀ ଅନୁମୋଦନ ଆବଶ୍ୟକ ଥିବା ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ପରେ କାର୍ଯ୍ୟକାରୀ କରାଯିବ। ସେହିପରି, ବିଭିନ୍ନ ଯୋଜନା ଅଧୀନରେ ନିଆଯାଉଥିବା ପ୍ରକଳ୍ପଗୁଡ଼ିକ ଓଡ଼ିଶା ପଞ୍ଚାୟତ ସମିତି ନିୟମ ଅନୁଯାୟୀ ନିର୍ବାଚିତ ଜନପ୍ରତିନିଧିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ କରାଯିବ ବୋଲି ବିଡିଓ ସ୍ପଷ୍ଟ କରିଥିଲେ। ବକେୟା ବିଲ୍ଗୁଡ଼ିକର ପ୍ରକ୍ରିୟାକରଣ କରାଯାଇ ନିୟମାନୁଯାୟୀ ସମୟ ମଧ୍ୟରେ ଦେୟ ପ୍ରଦାନ କରାଯିବ ବୋଲି ମଧ୍ୟ ଆଶ୍ୱାସନ ମିଳିଥିଲା।
ବିଡିଓଙ୍କ ଲିଖିତ ଆଶ୍ୱାସନ ଓ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରତ ଜନପ୍ରତିନିଧିମାନେ ଧାରଣା ପ୍ରତ୍ୟାହାର କରିଥିଲେ।
ଆଲୋଚନା ସମୟରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ହୀରାଲାଲ ବେହେରା, ବିଜେଡି ବ୍ଲକ ସଭାପତି ବିନୋଦ ବଡ଼ପଣ୍ଡା, ବାହାମ ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ଝାଙ୍କରପାଳି ସରପଞ୍ଚ ନିରଞ୍ଜନ ପଣ୍ଡା, ଜୟନ୍ତପୁର ସରପଞ୍ଚ ଆରତୀ ତାଣ୍ଡି, ଡଙ୍ଗରପଡ଼ା ସରପଞ୍ଚ ଆୟୁଷକାନ୍ତ ପଣ୍ଡା, କୁକୁଡ଼ାପାଳି ସରପଞ୍ଚ ଗୀତାଞ୍ଜଳି ଦେହୁରୀଙ୍କ ସମେତ ୨୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଏଥିସହ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଇସମାଇଲ ଆଜାଦ ବଢ଼େଇ, ଜିଲ୍ଲା ସମ୍ପାଦକ ଅଶ୍ୱିନୀ ଦେହୁରୀ, ଯୁବ ନେତା ଦୀପକ ପ୍ରଧାନ, ରାଜକୁମାର ସାହୁ, ଅଲେଖ ଦେହୁରୀ, ସୂର୍ଯ୍ୟ ସାହୁ, ଖିରୋଦ ସାହୁ, ଗଣେଶ ତଣ୍ଡିଆ, ବୈରାଗୀ ଦେହୁରୀ ଓ ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

