ସମ୍ବଲପୁର,୨୭/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ପଷ୍ଟ ଆଭିମୁଖ୍ୟ ରଖନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଇଂ. ରୋହିତ ପୂଜାରୀ ଦାବି କରିଛନ୍ତି। ସାକ୍ଷୀପଡ଼ାସ୍ଥିତ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଏମ୍ସ ପ୍ରତିଷ୍ଠା କୌଣସି ଦଳର ଦାବି ନୁହେଁ, ଏହା ସମ୍ବଲପୁରବାସୀଙ୍କ ଜନଦାବି। ଶ୍ରୀ ପୂଜାରୀଙ୍କ କହିବା ଅନୁଯାୟୀ, ନିର୍ବାଚନ ସମୟରେ ‘ମୋଦି କା ଗ୍ୟାରେଣ୍ଟି’ ଅଧୀନରେ ଏମ୍ସ କଥା ଉଲ୍ଲେଖ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଁଖାଇ ଅବସରରେ ଏହି ପ୍ରସଙ୍ଗରେ ପ୍ରତିଶ୍ରୁତି ଦେଇଥିବା ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏମ୍ସ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ଚିଠି ଲେଖିଥିବା କଥା ସେ ଉଠାଇଥିଲେ। ସେହି ଚିଠିର ଉତ୍ତର ଓ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସାର୍ବଜନୀନ କରିବାକୁ ସେ ଦାବି କରିଥିଲେ। ବିଜେପିର ଜାତୀୟ ପ୍ରବକ୍ତା ଅଜୟ ଆଲୋକ ମଧ୍ୟ ସମ୍ବଲପୁରରେ ଏମ୍ସ ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ଆଲୋକ କହିଥିଲେ ଯେ ରାଜ୍ୟ ସରକାର ଏଥିପାଇଁ ଶୀଘ୍ର ଜମି ଯୋଗାଇବେ ଏବଂ କେନ୍ଦ୍ର ପ୍ରକଳ୍ପକୁ ଆଗକୁ ବଢ଼ାଉଛି। ଏହା ସତ୍ତ୍ୱେ ପ୍ରକଳ୍ପ ସମ୍ପର୍କରେ ଠୋସ୍ ପ୍ରଗତି ଦେଖିବାକୁ ମିଳୁନାହିଁ ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିଥିଲେ। ସମ୍ବଲପୁରବାସୀଙ୍କୁ କେବଳ ପ୍ରତିଶ୍ରୁତି ଦିଆଯାଉଛି ବୋଲି କହି ସେ ଏହି ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇବେ ବୋଲି ଜଣାଇଥିଲେ। ଉନ୍ନତ ଚିକିତ୍ସା ପାଇଁ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଭୁବନେଶ୍ୱର, କଟକ, ବିଶାଖାପାଟଣା ଓ ରାୟପୁର ଯିବାକୁ ପଡ଼ୁଥିବାରୁ ସମ୍ବଲପୁରରେ ଏମ୍ସର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବରିଷ୍ଠ ବିଜେଡି ନେତା ବେଣୁଧର ଦାଶ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏମ୍ସ ପ୍ରତିଷ୍ଠା ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ସହ ଆଗାମୀ ଶୀତକାଳୀନ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବାକୁ ଆହ୍ୱାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ଉପସଭାପତି ସତ୍ୟେନ୍ଦ୍ର ଦାସ, ନଗର ସଭାପତି ବସନ୍ତ ମିଶ୍ର, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଧର୍ମରାଜ ମରେଈ ଓ ରୁଦ୍ର ଷଡ଼ଙ୍ଗୀଙ୍କ ସମେତ ଦଳୀୟ ନେତାମାନେ ଉପସ୍ଥିତ ଥିଲେ।

