ସମ୍ବଲପୁର,୨୭/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ବିହାର ,ପୁରୀ ଅଧିନସ୍ଥ ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟ, ମାହାଙ୍ଗା ,କଟକ ଠାରେ ବିଶିଷ୍ଟ ସଂସ୍କୃତ ସାହିତ୍ୟ ଶାସ୍ତ୍ର ବିଦ୍ୱାନ୍ ପ୍ରଫେସର ଧର୍ମାନନ୍ଦ ରାଉତଙ୍କୁ ଅନୁଷ୍ଠାନ ଦ୍ୱାରା ସଂସ୍କୃତ ଭାଷାର ପ୍ରଚାର ପ୍ରସାର,ଲେଖନ,ଗବେଷଣା, ଅଧ୍ୟାପନାରେ ଅବଦାନ ପାଇଁ “ସୁରଭାରତୀ ସେବକ ସମ୍ମାନ-୨୦୨୬ ” ପ୍ରଦାନ କରାଯାଇଛି ।ବର୍ତ୍ତମାନ ପ୍ରୋଫେସର ଧର୍ମାନନ୍ଦ ରାଉତ ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସାହିତ୍ୟ ବିଭାଗରେ ବରିଷ୍ଠ ପ୍ରୋଫେସର ରୂପେ କାର୍ଯ୍ୟରତ ଅଛନ୍ତି। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ବିହାର, ପୁରୀର କୁଳପତି ପ୍ରଫେସର ପ୍ରଭାତ ମହାପାତ୍ର , ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣଲତା ବେହେରା,ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ମାନୁଧର ନାୟକ, ବିଶିଷ୍ଟ ସମାଜସେବୀ ଶ୍ରୀ ଜନାର୍ଦ୍ଦନ ଜଟ , କାର୍ଯକ୍ରମ ସଂଯୋଜକ ଅଧ୍ୟାପକ ଡକ୍ଟର ଶଶଧର ପତି ସମେତ ଅନେକ ଅଧ୍ୟାପକ , ୨ ଶହ ରୁ ଅଧିକ ଛାତ୍ର ଛାତ୍ରୀ, ଅଭିଭାବକ ଯୋଗଦାନ କରିଥିଲେ। ପ୍ରୋ ଧର୍ମାନନ୍ଦ ରାଉତ ଦୀର୍ଘ ୩୬ ବର୍ଷରୁ ଅଧିକ ହେବ ସଂସ୍କୃତ ଭାଷା ପାଇଁ କାର୍ଯ୍ୟ କରୁଛନ୍ତି I ତାଙ୍କୁ ବିଭିନ୍ନ ରାଜ୍ୟରୁ ଅନେକ ସମ୍ମାନ ପୂର୍ବରୁ ମିଳିସାରିଛି କିନ୍ତୁ ଏହି ସମ୍ମାନଟି ନିଜ ମାତୃଭୂମି ତଥା ଜନ୍ମଭୂମିରୁ ମିଳିଥିବାରୁ ସେ ବେଶ୍ ଖୁସି ଅଛନ୍ତି।କୂଳପତି ପ୍ରଫେସର ପ୍ରଭାତ ମହାପାତ୍ର କହିଛନ୍ତି ରାଉତ ମହୋଦୟ ଙ୍କ ଏହି ଅବଦାନ ପାଇଁ ଆମେ ଗର୍ବିତ ଓ ତାଙ୍କର ସାହିତ୍ୟ ଶାସ୍ତ୍ର ପ୍ରତି ଅନବରତ ଗବେଷଣା ପାଇଁ ଆମେ ସଦାସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ବୋଲି ନିଜ ଭାଷଣରେ କହିଛନ୍ତି। ଏହି ସମ୍ମାନ ପାଇଁ ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ମୁରଲୀ ମନୋହର ପାଠକ ମହୋଦୟ ଶୁଭେଛା ଜଣେଇବା ସହ ଆମ ବିଶ୍ବବିଦ୍ୟାଳୟ ପାଇଁ ଏହି ସମ୍ମାନ ଟି ଗର୍ବ ବୋଲି କହିଛନ୍ତି।

