ସମ୍ବଲପୁର,୩୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳରେ ରାଜଭାଷା ପକ୍ଷ–୨୦୨୬ ପାଳିତ ହୋଇଯାଇଛି। ରେଳ କର୍ମଚାରୀଙ୍କ ମଧ୍ୟରେ ହିନ୍ଦୀ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଓ ଏହାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରବନ୍ଧ ଲିଖନ, ସାରାଂଶ ଲେଖା, ଶ୍ରୁତଲେଖନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେପ୍ଟେମ୍ବର ୨୯ରେ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସଭାକକ୍ଷରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧରୀ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ମୁଖ୍ୟ ରାଜଭାଷା ଅଧିକାରୀ ତଥା ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମନଜିତ ସିଂହ ସନସନୱାଲ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ଅଧିକ ବ୍ୟବହାର ପାଇଁ ଶ୍ରୀ ଚୌଧରୀ ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ। ହିନ୍ଦୀ ଭାଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୬୮ ଜଣ ରେଳ କର୍ମଚାରୀଙ୍କୁ ସେ ଉତ୍କର୍ଷତା ପ୍ରମାଣପତ୍ର ଓ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ। ରାଜଭାଷା ଅଧିକାରୀ ବିକାଶ ଚନ୍ଦନ ସମାରୋହ ପରିଚାଳନା କରିଥିଲେ।

