ସମ୍ବଲପୁର,୩୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଆଇକେଏସ୍ ସେଣ୍ଟର ଓ ବାଣିଜ୍ୟ ବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ‘ଭାରତୀୟ ଜ୍ଞାନ ପରମ୍ପରା: ଓଡ଼ିଶାର ବୁଣାକାର ପରମ୍ପରା’ ଶୀର୍ଷକ ଦୁଇଦିନିଆ ଜାତୀୟ ସେମିନାର ଆୟୋଜିତ ହୋଇଛି। ଏଥିରେ ଓଡ଼ିଶାର ହସ୍ତତନ୍ତ, ପାରମ୍ପରିକ ବୁଣାକାରୀ ଜ୍ଞାନ ଓ ସ୍ଥାନୀୟ କାରିଗରୀ ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।
ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର ଯୋଗଦେଇ ଭାରତୀୟ ପାରମ୍ପରିକ ଜ୍ଞାନ ଓ ଓଡ଼ିଶାର ବୁଣାକାର ପରମ୍ପରାର ସଂରକ୍ଷଣ ଏବଂ ପ୍ରଚାରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ପଦ୍ମଶ୍ରୀ ଶରତ କୁମାର ପାତ୍ର ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମଧ୍ୟ ଅଭିଭାଷଣ ରଖିଥିଲେ। ଦୀପ ପ୍ରଜ୍ୱଳନ ଓ ବିଶ୍ୱବିଦ୍ୟାଳୟ ସଙ୍ଗୀତ ପରିବେଷଣ ପରେ ବାଣିଜ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ଜ୍ଞାନ ରଞ୍ଜନ ବଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ପାର୍ଥ ସାରଥି ମଲ୍ଲିକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଡ. ପ୍ରିୟବ୍ରତ ପଣ୍ଡା ସେମିନାରର ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ପ୍ଲେନାରୀ ଓ ବୈଷୟିକ ଅଧିବେଶନଗୁଡ଼ିକରେ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ଯଶୋଧରା ପାତ୍ର, ଡ. ସୁରେନ୍ଦ୍ର ମେହେର ଓ ରାମକୃଷ୍ଣ ମେହେରଙ୍କ ସହ ଗବେଷକ, ଶିକ୍ଷାବିତ୍ ଏବଂ କାରିଗରମାନେ ଯୋଗଦେଇଥିଲେ। ଡ. ରାଜେନ୍ଦ୍ର ପାଢ଼ୀ, ଡ. ସମୀରା ପାତ୍ର, ସଞ୍ଜୟ ମେହେର ଓ ସୂର୍ଯ୍ୟ ନାରାୟଣ ପାଢ଼ୀ ପ୍ରମୁଖ ବୁଣାକାର ପରମ୍ପରାର ବିଭିନ୍ନ ପ୍ରସଙ୍ଗରେ ମତ ରଖିଥିଲେ। ସୂର୍ଯ୍ୟ ନାରାୟଣ ପାଢ଼ୀ, ସମିତା ୱାଡକା ଓ ମାଲାଡି ୱାଡକାଙ୍କ ପକ୍ଷରୁ ବିଶେଷ ପ୍ରଦର୍ଶନ କରାଯାଇଥିଲା। କୋରାପୁଟ ଓ ମାଲକାନଗିରିର ବୁଣାକାରମାନଙ୍କ ସମେତ ମଣି କିର୍ସାନୀ, ରାଧିକା ସିସା, କୃଷ୍ଣ ସିସା, ସୋମା ଧାଙ୍ଗଡ଼ ମାଝୀ, ସମ୍ଭାରୀ ମୁଦୁଲି ଓ ସୁକ୍ରୀ ମୁଦୁଲି ନିଜ ଅଭିଜ୍ଞତା ବାଣ୍ଟିଥିଲେ। ଗୋବିନ୍ଦ ବଲ୍ଲଭ ଦଳାଇ, ମମତା ନାଥ, ରଞ୍ଜନ ମୋହୁରିଆ, କିଶୋର ଚନ୍ଦ୍ର ମେହେର ଓ ଜ୍ଞାନ ରଞ୍ଜନ ମହାପାତ୍ର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଡ. ଲକ୍ଷ୍ମୀକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବୁଣାକାର, କାରିଗର ଓ ଗବେଷକମାନଙ୍କୁ ଏକ ମଞ୍ଚରେ ଆଣି ଏହି ସେମିନାର ଓଡ଼ିଶାର ବୁଣାକାର ପରମ୍ପରାର ସଂରକ୍ଷଣ, ଲିପିବଦ୍ଧକରଣ ଓ ବର୍ତ୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ଉପରେ ଚର୍ଚ୍ଚାର ସୁଯୋଗ ସୃଷ୍ଟି କରିଥିଲା।

