ଦେଶ -ବିଦେଶମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ଆଇଆଇଏମ, ସମ୍ବଲପୁରର ଲୋକାର୍ପଣ ସହ ଓଡ଼ିଶାକୁ ୬୮ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି I


ସମ୍ବଲପୁର,୦୩/୦୨(ଉତ୍କଳ ସମାଚାର),(ସରୋଜ ସାହୁ): ଆମେ ଓଡ଼ିଶାକୁ ଶିକ୍ଷା ଓ ଦକ୍ଷତା ବିକାଶର ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର କରିବା ପାଇଁ ନିରନ୍ତର ପ୍ରୟାସ କରିଛୁ I ବିଗତ ଦଶକରେ ଓଡ଼ିଶାକୁ ମିଳିଥିବା ଆଧୁନିକ ଶିକ୍ଷା ଅନୁଷ୍ଠାନ ଗୁଡିକ ଯୁବବର୍ଗଙ୍କ ଭାଗ୍ୟ ବଦଳାଉଛି ବୋଲି ଶନିବାର ଆଇଆଇଏମ, ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ପ୍ରାୟ ୬୮ ହଜାର ୧୬୦ କୋଟିରୁ ଅଧିକ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ, ଶୁଭାରମ୍ଭ ଓ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମା’ସମଲେଶ୍ୱରୀଙ୍କ ମାଟି, ହୀରାକୁଦ ନଦୀବନ୍ଧର ପାଦଦେଶ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ୱଭାବ କବି ଗଙ୍ଗାଧର ମେହେର, ସନ୍ଥ କବି ଭୀମ ଭୋଇଙ୍କ ଐତିହ୍ୟସମ୍ପନ୍ନ ଭୂମିକୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ I ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ, ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି I ଏହାସହ ପ୍ରାୟ ୬୮ ହଜାର ୧୬୦ କୋଟିରୁ ଅଧିକ ଟଙ୍କାର ୧୮ଟି ପ୍ରକଳ୍ପ ଗୁଡିକର ଉପହାର ଦେଇଥିବାରୁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ I ଏହି ବିକାଶମୂଳକ ପ୍ରକଳ୍ପ ଗୁଡିକ ଓଡ଼ିଶାର ବିକାଶ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ ଯୋଡିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ସବୁବେଳେ ‘ପୂର୍ବଦୋୟ ମିଶନ’ରେ ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଇଛନ୍ତି, ଯାହାର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିଛି । ନିକଟରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ପ୍ରଧାନମନ୍ତ୍ରୀ ପୂର୍ବୋଦୟକୁ ପ୍ରାଥମିକତା ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ପୂର୍ବ ଭାରତ ବିକଶିତ ହୋଇନାହିଁ, ସେ ପର୍ଯ୍ୟନ୍ତ ସମଗ୍ର ଭାରତର ବିକାଶ ସମ୍ଭବ ନୁହେଁ । ଆଜି ଏକ ସୁଖଦ ସଂଯୋଗ, ଭାରତର ନୂଆ ସଂସଦ ଭବନ ଯେଉଁ ସମୟରେ ଶୁଭ ଦିଆଯାଇଥିଲା ସେହି ସମୟରେ ପ୍ରଧାନମନ୍ତ୍ରୀ ନିଜେ ଜାନୁଆରୀ ୨,୨୦୨୧ରେ ଅନଲାଇନରେ ଆଇଆଇଏମ, ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରନ୍ତି, ସେହି ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରନ୍ତି । ଆଜି ଲୋକାର୍ପିତ ଆଇଆଇଏମ, ସମ୍ବଲପୁର ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶ ପାଇଁ ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । କଂଗ୍ରେସ ସରକାର ଗତ ୧୦ ବର୍ଷରେ ମାତ୍ର ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିଲା । ଆଜି ଶୁଭାରମ୍ଭ ଓ ଶିଳାନ୍ୟାସ ହୋଇଥିବା ୬୮ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକ ଭିତରେ ୫୭ ହଜାର କୋଟି ଟଙ୍କା କେବଳ ଶକ୍ତି କ୍ଷେତ୍ରରେ ନିବେଶ ହେବାକୁ ଯାଉଛି । ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ଓ ଏନ୍ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ ର ଶୁଭ ଉଦଘାଟନ ହୋଇଛି । ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲାଇନ୍ ଏବଂ ସମ୍ବଲପୁର-ତାଳଚେର ରେଳଲାଇନ୍ ଦୋହରୀକରଣ(୧୬୮ କିମି)ର ଦୋହରୀକରଣ ହୋଇଛି । ଏହାର ସିଧା ସିଧା ଲାଭ ରାଜ୍ୟକୁ ବିଶେଷ ଭାବରେ ଯୁବକକୁ ମିଳିବ । ରାଜ୍ୟର ରୋଜଗାର ବଢିବ, ଭାରତର ଅର୍ଥନୀତି ବିକାଶ ହେବ I ଆମ ସରକାର ସର୍ବାଙ୍ଗୀନ, ସର୍ବବ୍ୟାପୀ ଓ ସର୍ବସମାବେଶୀ ସରକାର । ଜାତୀୟ ଶିକ୍ଷା ନୀତିର ପ୍ରଣୟନ ହୋଇଛି । ନିକଟରେ ଆଗତ ହୋଇଥିବା କେନ୍ଦ୍ରର ଅନ୍ତରୀଣ ବଜେଟରେ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ୧ ଲକ୍ଷ ୨୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୧୪ ତୁଳନାରେ ୫୦ ଭାଗ ବୃଦ୍ଧି ହୋଇଛି । ମୋଦି ସରକାରରେ ଦେଶରେ ୭ ଟି ନୂଆ ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୮ଟି ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । ୧୫ଟି ଏମ୍‌ସ ଓ ୩୯୦ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଜୟ ଅନୁସନ୍ଧାନ ଯୋଜନାରେ ୫୦ ବର୍ଷ ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ସହିତ ୧ ଲକ୍ଷ କୋଟି ଟଙ୍କାର କୋର୍ପସ ପାଣ୍ଠି ଘୋଷଣା ହୋଇଛି । ଏହା ନୂଆପିଢିଙ୍କୁ ଲାଭ ଦେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅମୃତ କାଳ ଆଜି କର୍ତ୍ତବ୍ୟ କାଳରେ ପରିବର୍ତ୍ତିତ ହେଉଛି । ପ୍ରଧାନମନ୍ତ୍ରୀ ମହିଳା ନେତୃତ୍ୱ ବିକାଶର କଳ୍ପନା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଝିଅ ମାନଙ୍କ ସଂଖ୍ୟା ବଢୁଛି । ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୨୬.୫ ପ୍ରତିଶତ ବୃଦ୍ଧି ହୋଇଛି । ୪୩ ପ୍ରତିଶତ ଝିଅ ବିଜ୍ଞାନ, ଗଣିତ ଓ ଇଞ୍ଜିନିୟରିଂରେ ପାଠ ପଢୁଛନ୍ତି । ଆଇଆଇଏମ ସମ୍ବଲପୁରରେ ୫୧ ପ୍ରତିଶତ ଛାତ୍ରୀ ପାଠ ପଢୁଛନ୍ତି । ଏହା ମହିଳା ସସକ୍ତିକରଣର ନମୁନା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ‘ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ’ର ଏହି ଗରିମାମୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *