କଳିଙ୍ଗ ବିହାର ବସ୍ ଷ୍ଟାଣ୍ଡରେ ବେଆଇନ ଜବରଦଖଲ, ଯାତ୍ରୀମାନେ ରାସ୍ତା ଉପରେ
ରାଉରକେଲା:5//10,(ଉତ୍କଳ ସମାଚାର):, ସହରର ପ୍ରମୁଖ କଲୋନୀ ମଧ୍ୟରେ ଛେଣ୍ଡ କଲୋନୀର କଳିଙ୍ଗ ବିହାର ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ କଲୋନୀର ସ୍ଥାନ ପାଇଥିବା ବେଳେ, ଦିନକୁ ଦିନ ଏହାର ମୁଖ୍ଯ ରାସ୍ତା ସମେତ ଦୁଇପାର୍ଶ୍ବରେ ବଡ ବଡ କୋଠାର ମଧ୍ଯବର୍ତ୍ତୀ ରାସ୍ତା ସଂକୁଚିତ ହେବାରେ ଲାଗିଛି। ଓଡିଶା ହାଉସିଂ ବୋର୍ଡ ଏବଂ ରାଉରକେଲା ଡେଭଲପମେଣ୍ଟ ଅଥରିଟି ଦ୍ବାରା ନିର୍ମାଣ କରାଯାଇଥିବା ଘର ଓ ପ୍ଲଟ୍ ଆବଣ୍ଟିତ ହେବା ପରେ, ଏହା ରାଉରକେଲା ପୌରପାଳିକା (ପୌରନିଗମ)କୁ ହସ୍ତାନ୍ତରିତ କରାଯାଇଥିଲା। କିନ୍ତୁ ଏବେର ରାଉରକେଲା ମହାନଗର ନିଗମ ଏବଂ ପ୍ରଶାସନ ରାସ୍ତା ପାର୍ଶ୍ବର ଜବରଦଖଲ ସ୍ଥାନକୁ ଉଚ୍ଛେଦ କରିବାରେ ବିଫଳ ହୋଇଛି। ରାସ୍ତା ପାର୍ଶ୍ୱରେ ରହିଛି ବେଆଇନ ମାଳ ମାଳ ଗୁମୁଟି, ମାଛ ଦୋକାନ, କୁକୁଡା ଦୋକାନ, ମାଂସ ଦୋକାନ, ପରିବା ଦୋକାନ, ମାଂସ ଓ ମାଛ ପୋଡା ଦୋକାନ ଏବଂ ଅନ୍ୟାନ୍ୟ ଦୋକାନ। ସତେ ଯେପରି ଏଠାରେ କୌଣସି ପ୍ରଶାସନ ନଥିବା ସୂଚୀତ କରୁଛି। ରାଉରକେଲା, ପ୍ରଶାସନିକ ଅଧିକାରୀଙ୍କ ପାଇଁ ଏକ ପ୍ରୟୋଗଶାଳା ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ହନୁମାନ ମନ୍ଦିର ସମ୍ମୁଖରେ ବସ୍ ଷ୍ଟାଣ୍ଡରେ ମାଛ ଦୋକାନଗୁଡ଼ିକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲେ ମଧ୍ଯ, ଜନସାଧାରଣ ସ୍ବୟଂ ଶାସିତ ମହାନଗର ନିଗମର ନୀରବତା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯାହା ପୌର ପ୍ରଶାସନର ନୀରବତା ଉପରେ ପ୍ରଶ୍ନ ଉଠାଇଛି। ରାଉରକେଲା ସହରର ମଧ୍ୟଭାଗ ଛେଣ୍ଡର କଳିଙ୍ଗ ବିହାର ହନୁମାନ ମନ୍ଦିର ସମ୍ମୁଖରେ ବସ୍ ଷ୍ଟାଣ୍ଡରେ ବେଆଇନ ଜବରଦଖଲର ଅଭିଯୋଗ ଉଠିବାରେ ଲାଗିଛି। ବସ୍ ଷ୍ଟାଣ୍ଡ ପରିସରରେ ଏବଂ ଏହାର ଆଖପାଖରେ ମାଛ ଦୋକାନ ଖୋଲିବା ଯାତ୍ରୀଙ୍କ ସୁବିଧାକୁ ପ୍ରଭାବିତ କରିଛି। ଫଳସ୍ୱରୂପ, ଯାତ୍ରୀମାନେ ରାସ୍ତା କଡ଼ରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି, ଯାହା ଫଳରେ ପ୍ରତିଦିନ ଟ୍ରାଫିକ୍ ଜାମ୍ ଏବଂ ବିଶୃଙ୍ଖଳା ସୃଷ୍ଟି ହେଉଛି। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ବସ୍ ଷ୍ଟାଣ୍ଡଟି ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ହୋଇଥିଲା, କିନ୍ତୁ ଏହା ଏବେ ସମ୍ପୂର୍ଣ୍ଣ ବିଶୃଙ୍ଖଳିତ ହୋଇପଡ଼ିଛି। ଦୋକାନୀମାନେ ବସ୍ ଷ୍ଟାଣ୍ଡର ଏକ ଅଂଶକୁ ଜବରଦଖଲ କରିଛନ୍ତି। ପ୍ରଶାସନ ଏବଂ RMC (ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନ୍) ଏପର୍ଯ୍ୟନ୍ତ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ସଚେତନ ନାଗରିକମାନେ ଏହି ମାମଲାରେ ପୌର ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ଯଦି ସମୟୋଚିତ ପଦକ୍ଷେପ ନିଆ ନ ଯାଏ, ତେବେ ଏହି ଜବରଦଖଲ ସ୍ଥାୟୀ ହୋଇପାରେ ଏବଂ ସାର୍ବଜନୀନ ସମ୍ପତ୍ତି ଉପରେ ଜବରଦଖଲର ଏହି ଧାରା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ଯେ ବସ୍ ଷ୍ଟାଣ୍ଡକୁ ଜବରଦଖଲ ମୁକ୍ତ କରାଯାଉ ଏବଂ ଯାତ୍ରୀମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ପୁନଃସ୍ଥାପିତ କରାଯାଉ।
