ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ଜନ ଅଧିକାରକୁ ପୂରା କରିବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

କୁଚିଣ୍ଡା/ସମ୍ବଲପୁର,// (ଉତ୍କଳ ସମାଚାର) //05/07/2024 // କୁଚିଣ୍ଡାବାସୀଙ୍କ ଅଧିକାର ପୂରା କରିବା ପାଇଁ ଦାୟିତ୍ୱ ନେବା । ଲୋକକଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା । ପ୍ରଧାନମନ୍ତ୍ରୀ ଏବଂ ବିଜେପି ପ୍ରତି ଥିବା ଆସ୍ଥାକୁ ବଜାୟ ରଖିବା ପାଇଁ ଶୁକ୍ରବାର କୁଚିଣ୍ଡାରେ ଆୟୋଜିତ ‘ବିଜୟ ସମ୍ବର୍ଦ୍ଧନା ଉତ୍ସବ’ରେ ଯୋଗଦେବା ଅବସରରେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପିକୁ ଆଶୀର୍ବାଦ କରିଥିବାରୁ କୁଚିଣ୍ଡାର ଜନସାଧାରଣ ବିଶେଷତଃ ମାତୃଶକ୍ତି ଏବଂ ଯୁବଶକ୍ତିଙ୍କୁ ଧନ୍ୟବାଦ ଜଣାଉଛି । ସ୍ୱାଧୀନତା ପରେ କୁଚିଣ୍ଡା ଅଞ୍ଚଳର ଜନପ୍ରତିନିଧି ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛନ୍ତି, ଯାହା ଅଞ୍ଚଳ ପାଇଁ ଗୌରବର ବିଷୟ । ସେ ଆହୁରି କହିଛନ୍ତି ଯେ କୁଚିଣ୍ଡା ହେଉଛି ଏକ କୃଷି ପ୍ରାଧାନ୍ୟ ଅଞ୍ଚଳ । ଏହି ଅଞ୍ଚଳରେ ପାଣି ଅଭାବ ନାହିଁ । ଉର୍ବର ଜମିର ଅଭାବ ନାହିଁ । ଏଠାରେ ଧାନ, ବିଭିନ୍ନ ରକମର ପନିପରିବା, ଜଙ୍ଗତଜାତ ଦ୍ରବ୍ୟ ଉତ୍ପାଦିତ ହେଉଛି । ଏଠାରେ ଉତ୍ପାଦିତ ହେଉଥିବା ଲଙ୍କାର ବିଶେଷ ଚାହିଦା ରହିଛି । ଏହାକୁ ବିଶ୍ୱ ବଜାରକୁ ନେବାକୁ ହେବ । କୃଷି ଶିଳ୍ପ ଭିତ୍ତିକ ଏକ କ୍ଲଷ୍ଟର କରିବାର ଯୋଜନା କରିବା । କୁଚିଣ୍ଡା ସବ୍-ଡିଭିଜନର ଗୌରବ ବଢାଇବା ପାଇଁ ଆମେ ସମସ୍ତେ କାର୍ଯ୍ୟକର୍ତ୍ତାମାନେ ନମ୍ରତାର ସହ ପରିଶ୍ରମ କରିବା । ଘରେ ଘରେ ରୋଜଗାରର ଦାୟିତ୍ୱ ନେବା । ଦାୟିତ୍ୱ ସମ୍ପନ୍ନତାର ସହ ନମ୍ରତା ବଜାୟ ରଖି ଅକଥନୀୟ ପରିଶ୍ରମ କରି ଲୋକକଲ୍ୟାଣ ପାଇଁ ସର୍ବସ୍ୱ ଉତ୍ସର୍ଗ କରିବା । କଳା, ସଂସ୍କୃତି, କ୍ରୀଡାରେ ପରିପୂର୍ଣ୍ଣ କୁଚିଣ୍ଡାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଏବଂ କୁଚିଣ୍ଡାରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ପୃଥକ ପୃଥକ ବୈଠକ କରିଥିଲେ । ବୈଠକରେ ବର୍ଷାରମ୍ଭ ସମୟରେ ପ୍ରଶାସନର ପ୍ରସ୍ତୁତି ସହ ବିଶୁଦ୍ଧ ପାନୀୟଜଳ, ସ୍ୱଚ୍ଛତାକୁ ଗୁରୁତ୍ବ, ଡ୍ରେନେଜ ବ୍ୟବସ୍ଥା,  ରାସ୍ତାଘାଟ, ରାସ୍ତାପାର୍ଶ୍ବ ଆଲୋକୀକରଣ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଉପରେ ସମୀକ୍ଷା  କରାଯାଇଥିଲା । ସମ୍ବଲପୁରକୁ ଅଧିକ ସ୍ୱଚ୍ଛ, ଆଧୁନିକ ଓ ବିକଶିତ ସହର କରିବା ପାଇଁ ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି ।ସେହିପରି ଓଡ଼ିଶା ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ତଥା କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆୟୋଜିତ ବୈଠକରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ  । କୁଚିଣ୍ଡାରେ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା,  ଜଙ୍ଗଲ, ଜଳସେଚନ, କୃଷି ଉତ୍ପାଦିତ ସାମଗ୍ରୀ ଉପରେ ଆଲୋଚନା  ହୋଇଥିଲା । ଲୋକକଲ୍ୟାଣକୁ ଗୁରୁତ୍ୱ ଦେଇ ଲୋକଙ୍କ ହିତରେ କାମ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । କୁଚିଣ୍ଡା ସବ-ଡିଭିଜନର ବିକାଶ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତି କରିବା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା ।ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କୁଚିଣ୍ଡା ସ୍ଥିତ ଦୁର୍ଗା ମନ୍ଦିର ଓ ହନୁମାନ ମନ୍ଦିରରେ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *