ମହାନଗରମୁଖ୍ୟ ଖବରରାଜ୍ୟ

ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନର ନିରପେକ୍ଷ ତଦନ୍ତ ପାଇଁ ଦାବୀ

ରାଉରକେଲା ,୨୧/୯(ଉତ୍କଳ ସମାଚାର): ନିକଟରେ ଭୁବନେଶ୍ୱରର ଭରତପୁର ଥାନାରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ଉଦବେଗ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l ନିକଟରେ ମେଜର ଗୁରୁବଂଶ ସିଂ  ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ଭରତପୁର ଥାନାକୁ ଯାଇ ଚନ୍ଦକା ଅଂଚଳରୁ ଫେରୁଥିବା ବେଳେ ରାସ୍ତାରେ କିଛି ଯୁବକଙ୍କ ସହ ତାଙ୍କର ବଚସା, ମାଡିପିଟ ହୋଇଥିବାରୁ ରିପୋର୍ଟ ଦେବାପାଇଁ ଯାଇଥିଲେ l ଥାନାରେ ଥିବା ଏସଆଇ ବୈଶାଳୀନୀ ପଣ୍ଡାଙ୍କୁ ରିପୋର୍ଟ କରିବାରୁ ଆଇଆଇସି ଦୀନକୃଷ୍ଣ ପଣ୍ଡା ସେମାନଙ୍କୁ ଲିଖିତ ରିପୋର୍ଟ ଦେବାପାଇଁ କହିଥିଲେ ଯାହାକୁ ନେଇ ଦୁଇପକ୍ଷଙ୍କ ଭିତରେ ପାଟିତୁଣ୍ଡ  ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା l  ତେଣୁ ସେମାନଙ୍କ ବିରୁଦ୍ଧରେ ପୋଲିସ ଏକ ମାମଲା  କରିଥିଲେ l ପରବର୍ତ୍ତୀ ସମୟରେ ଏହାକୁ ଆଳ କରି ମେଜର ଗୁରୁବଂଶ ସିଂ ଓ ତାଙ୍କର ବାନ୍ଧବୀ ଅଙ୍କିତା ପ୍ରଧାନ ବିଭିନ୍ନ ଗଣମାଧ୍ୟମରେ ମନଗଢା ବୟାନ ଦେଇ ତଦନ୍ତକୁ ଦିଗହରା କରାଇବାର ପ୍ରଚେଷ୍ଟା କରୁଛନ୍ତି l ପୋଲିସ ଡିଜି ସେତେବେଳେ ଉପସ୍ଥିତ ଥିବା ଥାନାର ଷ୍ଟାଫଙ୍କୁ ନିଲମ୍ବିତ କରିବା ସହ କ୍ରାଇମ୍ବ୍ରାଞ୍ଚକୁ ତଦନ୍ତଭାର ଅର୍ପଣ କରିଛନ୍ତି ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ l ଘଟଣାର ସତ୍ୟାସତ୍ୟ ନଜାଣି ବିଭିନ୍ନ ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳ ଖାଲି ପୋଲିସ ମୁଣ୍ଡରେ ଅଠା ବୋଲିବାକୁ ଭୁଲୁନାହାନ୍ତି l ଘୁରିବୁଲୁଥିବା ସୋସିଆଲ ମିଡ଼ିଆ ଅନୁଯାୟୀ ଥାନାକୁ ଆସିବା ପୂର୍ବରୁ ରାସ୍ତାରେ କିଛି ଯୁବକଙ୍କ ସହ ସେ ଦୁଇଜଣଙ୍କର ଝଗଡାଝାଟି ଓ ମାଡିପିଟ ହୋଇଥିଲା ଯାହା ତଦନ୍ତ ପରିସରକୁ ଆସିବା ଦରକାର, କିନ୍ତୁ କେବଳ ପୋଲିସ ମୁଣ୍ଡରେ ଅଠାବୋଳି ଦେବାକୁ ଜୋରସୋର ପ୍ରୟାସ ହେଉଛି l ତେଣୁ ଏକ ନିରପେକ୍ଷ ତଦନ୍ତ କରାଯାଇ ସତ୍ୟ ଘଟଣାକୁ ସାମ୍ନାକୁ ଆଣିବାକୁ ଆସୋସିଏସନର ସଭାପତି ବିଶ୍ୱମୋହନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ, ଉପସଭାପତି ଯଦୁମଣି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମିଶ୍ର,ରଂଜିତ କୁମାର ଭୋଇ,କୀର୍ତନ ଚରଣ ସାମଲ, ଶ୍ରୀନିବାସ ଦାସ,ପିତାମ୍ବର କୁଅଁର ଓ ଅନ୍ୟମାନେ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *