ରାଉରକେଲା ୫/୧୦,(ଉତ୍କଳ ସମାଚାର) ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀ ପୂଜାର ସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି,(ସିପିସି) ରାଉରକେଲାର ୨୦୨୬-୨୭ ବର୍ଷ ପାଇଁ ନିର୍ବାଚନ ରବିବାର ଦିନ ପିଏଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ୨୦୨୬ -୨୭ ବର୍ଷ ପାଇଁ ସାଧାରଣ ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ୱାଇଁ ଭାବରେ ନିର୍ବାଚିତ ହୋଇଛନ୍ତି l ଶ୍ରୀ ସ୍ବାଇଁ ୧୯୦ ଖଣ୍ଡ ଭୋଟ ପାଇ ବିଜୟ ହୋଇଛନ୍ତି l ତାଙ୍କର ପ୍ରତିଦ୍ବନ୍ଦୀ ବିରାଜ ମୋହନ ବିଶ୍ବାଳ ୮୩ ଖଣ୍ଡ ଭୋଟ ପାଇଥିବା ବେଳେ ୧୨ଟି ଭୋଟ ନାକଚ ହୋଇଛି l ସେହିପରି ବିଶ୍ଵନାଥ ଦେ (ସିପିସି) କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ରବିବାର ସକାଳ ୯ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ଆଇଟିଡିଏ ସମ୍ମିଳନୀ କକ୍ଷରେ ମତଦାନ ହୋଇଥିଲା l ସେଥିରେ ବିଭିନ୍ନ ପୂଜା କମିଟିର ମୋଟ ୨୯୮ଜଣ ସଦସ୍ୟ ଭୋଟ ଦେଇଥିଲେ। ଏହାପରେ ପାନପୋଷ ଉପଜିଲ୍ଳାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଡେପୁଟୀ କଲେକ୍ଟର ପ୍ରାରବ୍ଧା ବଡ଼ପଣ୍ଡା, (ସିପିସି) ରିଟର୍ଣ୍ଣିଂ ଅଧିକାରୀ ତଥା ରାଉରକେଲା ତହସିଲଦାର ସାଲମି ମାଝୀଙ୍କ ଉପସ୍ଥିତିରେ ଅପରାହ୍ନ ୪ଟା ସମୟରେ ଭୋଟ ଗଣତି କରାଯାଇଥିଲା। କେନ୍ଦ୍ରୀୟ ପୂଜା କମିଟି ରାଉରକେଲାକୁ ୩ଟି ଜୋନ୍ ଯଥା, ସିଭିଲ ଟାଉନଶିପ୍ ଜୋନ , ଷ୍ଟିଲ ଟାଉନଶିପ୍ ଜୋନ୍ ଏବଂ ଫର୍ଟିଲାଇଜର ଟାଉନଶିପ୍ ଜୋନରେ ଭାଗ କରାଯାଇଛି। ଏହି ତିନିଟି ଜୋନ ପାଇଁ ମଧ୍ୟ ଉପ-ସଭାପତି, ଯୁଗ୍ମ-ସମ୍ପାଦକ ଏବଂ କାର୍ଯ୍ୟକାରୀ ସଦସ୍ୟ ୨ ଜଣ ନିର୍ବାଚତ ହୋଇଛନ୍ତି। ଷ୍ଟିଲ ଟାଉନଶିପ ଜୋନ୍ ପାଇଁ ଶ୍ରୀକାନ୍ତ କୁମାର ରାୟ ଉପ-ସଭାପତି, ପଙ୍କଜ କୁମାର ସାମଲ ଯୁଗ୍ମ-ସଂପାଦକଙ୍କ ସମେତ ନିହାର ରଞ୍ଜନ ସାମନ୍ତରାୟ ଏବଂ ରାହୁଲ ରାୟ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସିଭିଲ ଟାଉନଶିପ୍ ଜୋନ ପାଇଁ ଧର୍ମେନ୍ଦ୍ର କୁମାର ଦୁବେ ଉପ-ସଭାପତି, ପ୍ରକାଶ ଧଳ ଯୁଗ୍ମ-ସଂପାଦକ , ପ୍ରତୀକ୍ଷିତ ସାଗର ଓ ପୁରୁଷୋତ୍ତମ ପାତ୍ର କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି l ଏହା ବ୍ୟତୀତ ଫର୍ଟିଲାଇଜର ଟାଉନଶିପ୍ ଜୋନର ଅପ୍ରତିଦ୍ବଦୀ ଭାବରେ ଦିଲ୍ଲୀପ କୁମାର ଜେନା ଉପ-ସଭାପତି ହୋଇଥିବା ବେଳେ ପ୍ରଦୀପ ଦାଶ ଯୁଗ୍ମ-ସମ୍ପାଦକ ଏଵଂ ପଙ୍କଜ କୁମାର ପାଢ଼ୀ ଓ କାଳୀ ଚରଣ ବିଶ୍ୱାଳ କାର୍ଯ୍ୟକାରୀ ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି।

