ସମ୍ବଲପୁର,୦୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଟେକାମାଡ଼ ହୋଇଥିବା ଅଭିଯୋଗକୁ ନେଇ ଧର୍ମଶାଳାରେ ଉତ୍ତେଜନା ଦେଖାଦେଇଛି। ଗଡ଼ମଧୁପୁର ପଞ୍ଚାୟତ ଅନ୍ତର୍ଗତ ପନ୍ତୁରି ଗାଁରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ପଦଯାତ୍ରା ପରେ ବୈଠକ ସାରି ପ୍ରଣବ ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ ଟେକା ଫିଙ୍ଗିଥିଲେ। ଏଥିରେ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଭାଜପାର କିଛି କର୍ମୀ ସାମିଲ ଥିବା ପ୍ରଣବ ଅଭିଯୋଗ କରିଛନ୍ତି। ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବା ମଧ୍ୟ ସେ କହିଛନ୍ତି। ଘଟଣାକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ହୀରାଲାଲ ବେହେରା ଦୃଢ଼ ନିନ୍ଦା କରିଛନ୍ତି। ପୋଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଥିବା ସେ ଅଭିଯୋଗ କରିଛନ୍ତି।

