ନବରଙ୍ଗପୁର,9//10,(ଉତ୍କଳ ସମାଚାର)ପାପଡ଼ାହାଣ୍ଡି: ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାମ୍ବଗୁଡ଼ାଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ବାବୁଲାଲ ସାଗର ଗୋପବନ୍ଧୁ ଦାସଙ୍କ ଜୀବନୀ, ଆଦର୍ଶ, ତ୍ୟାଗ ଓ ସମାଜସେବା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ବନ୍ୟା ଭଳି ଦୁର୍ବିପାକ ସମୟରେ ଅସହାୟ ଲୋକଙ୍କ ସେବାକୁ ସେ ନିଜ ଜୀବନର ମୁଖ୍ୟ ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ ବୋଲି ଶ୍ରୀ ସାଗର କହିଥିଲେ।ନିଜ ପୁଅର ଅସୁସ୍ଥତା ଖବର ପାଇ ମଧ୍ୟ ବନ୍ୟାପୀଡ଼ିତଙ୍କ ସେବା ଛାଡ଼ି ଫେରି ନଥିବା ଏବଂ ପରେ ପୁଅର ମୃତ୍ୟୁ ଖବର ଶୁଣିଥିବା ତାଙ୍କ ଜୀବନର ମର୍ମସ୍ପର୍ଶୀ ଘଟଣାକୁ ସେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଦେଶ ଓ ଦେଶବାସୀଙ୍କ ପ୍ରତି ଗୋପବନ୍ଧୁଙ୍କ ଅସୀମ ତ୍ୟାଗ ଓ ନିଃସ୍ୱାର୍ଥପର ସେବା ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସେ ମତ ଦେଇଥିଲେ।“ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ” — ଗୋପବନ୍ଧୁଙ୍କ ଏହି ଦେଶପ୍ରେମ ଓ ତ୍ୟାଗର ଭାବଧାରାକୁ ଉଦ୍ଧୃତ କରି ଶିକ୍ଷକ ଶ୍ରୀ ସାଗର ପିଲାମାନଙ୍କୁ ଦେଶପ୍ରେମ, ପରୋପକାର, ସେବା ଓ ମାନବିକତାର ଶିକ୍ଷା ଦେଇଥିଲେ। ଉତ୍କଳମଣି ଭାବେ ପରିଚିତ ଗୋପବନ୍ଧୁ ଦାସଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ରାମେଶ୍ୱର, ବିନୋଦ ସହଯୋଗ କରିଥିଲେ। ଗୋପବନ୍ଧୁଙ୍କ ଜୀବନାଦର୍ଶ ଆଧାରରେ ନୈତିକ ଶିକ୍ଷା ପ୍ରଦାନର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିବା ବେଳେ ଶିକ୍ଷକଙ୍କ ଏପରି ଚିନ୍ତାଧାରାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା।

