ସମ୍ବଲପୁର,୧୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୪୯ରେ ବଢ଼ୁଥିବା ଯାନବାହନ ଚଳାଚଳ ଓ ଦୁର୍ଘଟଣା ଆଶଙ୍କାକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ରାସ୍ତା ସୁରକ୍ଷା ଓ ଯାତାୟାତ ସୁବିଧା ପାଇଁ ଏନ୍ଏଚ୍-୪୯ର ତିନିଟି ସ୍ଥାନରେ ଭିତ୍ତିଭୂମି ବିକାଶ କରିବାକୁ ସେ ଅନୁରୋଧ କରିଛନ୍ତି। ଦେବଗଡ଼ ବାଇପାସ୍ ଆରମ୍ଭରେ ଥିବା ଆମ୍ବେଦକର ଛକର ୱାଇ-ଜଙ୍କସନ୍ ନିକଟରେ ଏକ ଫ୍ଲାଏଓଭର୍, ସର୍ଭିସ୍ ରୋଡ୍ ଓ ଉପଯୁକ୍ତ ଆଲୋକ ବ୍ୟବସ୍ଥା କରିବାକୁ ପତ୍ରରେ ଦାବି କରିଛନ୍ତି ଶ୍ରୀ ପ୍ରଧାନ। ଏହି ଅଞ୍ଚଳରେ କଲେକ୍ଟରେଟ୍, ନୂଆ ବସ୍ଷ୍ଟାଣ୍ଡ୍ ଓ ମହିଳା କଲେଜ ଥିବାରୁ ସ୍ଥାନୀୟ ଲୋକଙ୍କ ଯାତାୟାତ ଏବଂ ଦ୍ରୁତଗାମୀ ଯାନବାହନ ଚଳାଚଳ ମଧ୍ୟରେ ଦୁର୍ଘଟଣାର ଆଶଙ୍କା ରହୁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ଏନ୍ଏଚ୍-୪୯ ଓ ଦେବଗଡ଼-ଅନୁଗୋଳ ରାସ୍ତାର ରାଜ୍ୟ ରାଜପଥ-୨୧ ମିଶୁଥିବା ବିର୍ସାମୁଣ୍ଡା ଛକରେ ସ୍ଲିପ୍ ରୋଡ୍ ସହ ଏକ ଯାନବାହନ ଚଳାଚଳଯୋଗ୍ୟ ଅଣ୍ଡରପାସ୍ ନିର୍ମାଣ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ଦ୍ରୁତଗାମୀ ଓ ସ୍ଥାନୀୟ ଯାନବାହନ ମୁହାଁମୁହିଁ ହେଉଥିବାରୁ ଏଠାରେ ଗୁରୁତର ଦୁର୍ଘଟଣାର ଆଶଙ୍କା ରହୁଛି ବୋଲି ଚିଠିରେ କୁହାଯାଇଛି।କଲା, କନ୍ଧଳ ଓ ତିଲେଇବଣି ଭଳି ଜନବସତି ଅଞ୍ଚଳରେ ସର୍ଭିସ୍ ରୋଡ୍, ଡ୍ରେନ୍, ପଥଚାରୀଙ୍କ ପାଇଁ ପୃଥକ ଗାର୍ଡରେଲ୍ ଏବଂ ହାଇୱେ ଲାଇଟିଂ ବ୍ୟବସ୍ଥା କରିବାକୁ ମଧ୍ୟ ସାଂସଦ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଯାତାୟାତକୁ ଦ୍ରୁତଗାମୀ ଟ୍ରାଫିକ୍ଠାରୁ ପୃଥକ କରି ପଥଚାରୀଙ୍କ ସୁରକ୍ଷା ବଢ଼ାଯାଇପାରିବ ବୋଲି ସେ ମତ ଦେଇଛନ୍ତି।ଦେବଗଡ଼ବାସୀଙ୍କ ସୁରକ୍ଷା ଓ ସୁଗମ ଯାତାୟାତକୁ ଦୃଷ୍ଟିରେ ରଖି ପ୍ରସ୍ତାବଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ମଞ୍ଜୁର କରିବାକୁ ଏବଂ ଏନ୍ଏଚ୍ଏଆଇକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ ଶ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି। ଏନେଇ ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।

