ରାଉରକେଲା ୧୫/୧୦,(ଉତ୍କଳ ସମାଚାର) ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘର ତତ୍କାଳୀନ ପ୍ରଥମ ସଭାପତି ରଘୁବର ଧଳଙ୍କ ୮୪ ବର୍ଷ ବୟସରେ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଆପୋଲୋ ହସ୍ପିଟାଲ୍ସରେ ଇହଲୀଳା ସମ୍ବରଣ କରିଛନ୍ତି। ସ୍ବର୍ଗତଃ ରଘୁବର ୧୯୮୯ ମସିହାରେ ଧାମରା ସଂଘ ଗଠନ ସମୟରେ ପ୍ରଥମ ସଭାପତି ଭାବେ ଆସନ ଅଳଙ୍କୃତ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ବାରାକୁହ୍ଲା ଗ୍ରାମର ମୂଳବାସିନ୍ଦା ସ୍ବର୍ଗତଃ ଧଳ ରାଉରକେଲା ଇସ୍ପାତ କାରଖାନାରୁ ଅବସରଗ୍ରହଣ ପରେ ଜଗଦା ସ୍ଥିତ ତାଙ୍କ ନିଜସ୍ବ ବାସଭବନ ଜେ.ଇ./୪୭ରେ ରହୁଥିଲେ।ସ୍ବର୍ଗତଃ ଧଳଙ୍କ ପାର୍ଥିବ ଶରୀରକୁ ଆଜି ଧାମରା ସଂଘ ପରିସରକୁ ଅଣାଯାଇ ଶ୍ରଦ୍ଧା ଓ ଭକ୍ତିର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେ ଜଣେ ସାହିତ୍ୟିକ ଓ ସମାଜସେବୀ ଭାବେ ବିଭିନ୍ନ ଅନୁଷ୍ଠାନ ସହ ଶେଷ ପର୍ଯ୍ୟନ୍ତ ଜଡିତ ଥିଲେ। ତାଙ୍କ ବିୟୋଗରେ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି। ତାଙ୍କ ମରଶରୀରକୁ ଧାମରା ସଂଘର ଶବବାହକ ଗାଡି “ଅନ୍ତିମ ସାରଥି”ରେ ଜଗଦାରୁ ଅଣାଯାଇ ବେଦବ୍ୟାସ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କର ଜ୍ଯେଷ୍ଠ ପୁତ୍ର ଦେବବ୍ରତ, କନିଷ୍ଠ ପୁତ୍ର ଜ୍ଯୋତିବ୍ରତ, ବୋହୁ, ନାତି ନାତୁଣୀ ଏବଂ ଜ୍ଞାତି ପରିଜନ ଉପସ୍ଥିତ ଥିଲେ। ବେଦବ୍ୟାସ ଘାଟରେ ତାଙ୍କ ଜ୍ଯେଷ୍ଠ ପୁତ୍ର ଦେବବ୍ରତ ମୁଖାଗ୍ନି ଦେଇଥିଲେ। ଧାମରା ସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ ବେହେରା ଏବଂ ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ସମେତ ନିତ୍ୟାନନ୍ଦ ବିଶ୍ବାଳ, ଅକ୍ଷୟ ଦାସ, ସଞ୍ଜୟ ପରିଡା, ସରୋଜ ପରିଡା, କୁଳମଣି ଓଝା, ବିଷ୍ଣୁ ପ୍ରସାଦ ଦାସ, ଦେବେନ୍ଦ୍ର ନାୟକ, କୃଷ୍ଣ ପଣ୍ଡା ପ୍ରମୁଖ ସ୍ବର୍ଗତଃ ଧଳଙ୍କ ପ୍ରତି ଶେଷ ସମ୍ମାନ ଜଣାଇଥିଲେ।

