ସମ୍ବଲପୁର,୧୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଦଲେଇପଡ଼ା ରାବଣ ପୋଡ଼ି ମହୋତ୍ସବ କମିଟି, ସମ୍ବଲପୁର ପକ୍ଷରୁ ଚଳିତ ବର୍ଷର ରାବଣ ପୋଡ଼ି ମହୋତ୍ସବ ଆୟୋଜନ ନେଇ ଫାର୍ମରୋଡ୍ସ୍ଥିତ ହୋଟେଲ ରିଜେଣ୍ଟା ଇନ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ପ୍ରସ୍ତୁତି ସମ୍ପର୍କରେ କମିଟି ପକ୍ଷରୁ ସୂଚନା ଦିଆଯାଇଛି।କମିଟିର ସଭାପତି ସିଦ୍ଧାର୍ଥ ସାହାଙ୍କ ସମେତ ଅନୁପ କୁମାର ତରିଆ, ଅରୁଣ ପଟୁଆରୀ, ସତ୍ୟନାରାୟଣ ବେରିହା, ରାଜୀବ ରତନ ସାହୁ ଓ ଇନ୍ଦ୍ରଜିତ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ ସମ୍ପର୍କରେ ତଥ୍ୟ ରଖିଥିଲେ। ଚଳିତ ବର୍ଷ ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ ୬୦ ଫୁଟ ଉଚ୍ଚତାର ରାବଣ ପ୍ରତିକୃତି। ଏହାକୁ ରିଙ୍ଗ୍ରୋଡ୍ସ୍ଥିତ ନିର୍ଦ୍ଧାରିତ ସ୍ଥାନରେ ପୋଡ଼ାଯିବ। ରାବଣ ପୋଡ଼ି ସମୟରେ ଗ୍ରୀନ୍ ଫାୟାର ଟ୍ରାଗ୍ ଏବଂ ଆତସବାଜି ପ୍ରଦର୍ଶନ ଦର୍ଶକଙ୍କ ପାଇଁ ଅନ୍ୟତମ ଆକର୍ଷଣ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଦୀର୍ଘ ୨୩ ବର୍ଷ ଧରି ଏହି ମହୋତ୍ସବ ପାଳନ କରାଯାଉଥିବାରୁ ଏହା ସମ୍ବଲପୁରର ଏକ ପ୍ରମୁଖ ଉତ୍ସବ ଭାବେ ପରିଚିତ ହୋଇଛି।ମହୋତ୍ସବ ଅବସରରେ ଭଗବାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଶୋଭାଯାତ୍ରା ମ୍ୟୁନିସିପାଲିଟି ଛକରୁ ବାହାରି ସାନସଡ଼କ ଓ ବାଲିବନ୍ଧା ଦେଇ ରିଙ୍ଗ୍ରୋଡ୍ସ୍ଥିତ ଉତ୍ସବସ୍ଥଳରେ ପହଞ୍ଚିବ। ଶୋଭାଯାତ୍ରାରେ ପାରମ୍ପରିକ ଦୁଲଦୁଲି ବାଦ୍ୟ ସହ ଡିଜେ ଓ ଅନ୍ୟାନ୍ୟ ସାଂସ୍କୃତିକ ଆକର୍ଷଣ ସ୍ଥାନ ପାଇବ।ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୂର୍ବତନ ପୌରାଧ୍ୟକ୍ଷ ଗିରିଶ ପଟେଲ ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ମହୋତ୍ସବ ପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ଦର୍ଶକଙ୍କ ସୁବିଧା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉତ୍ସବସ୍ଥଳରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯିବ। ରାବଣ ପୋଡ଼ି ସମୟରେ ନଦୀ ଆଡ଼କୁ ଯିବାକୁ ଲୋକଙ୍କୁ ବାରଣ କରାଯିବ। ଏଥିସହ ଭିଡ଼ ନିୟନ୍ତ୍ରଣ ଓ ଯାନବାହନ ଚଳାଚଳ ସୁଚାରୁ ରଖିବା ପାଇଁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ, ଦଲେଇପଡ଼ା ଦୁର୍ଗାପୂଜାର ପ୍ରାୟ ୧୫୦ ବର୍ଷର ପରମ୍ପରା ଏହି ଅଞ୍ଚଳର ଐତିହ୍ୟ ଓ ସାଂସ୍କୃତିକ ଗୌରବକୁ ପ୍ରତିଫଳିତ କରୁଛି। ମହୋତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସଫଳ କରିବା ପାଇଁ କମିଟି ପକ୍ଷରୁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

