ସମ୍ବଲପୁର,୧୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ରାସ୍ତାଘାଟ ନିର୍ମାଣ ଓ ମରାମତି କରୁଛନ୍ତି। ହେଲେ ବିଭାଗୀୟ ଅବହେଳା ଯୋଗୁଁ ଅନେକ ଗ୍ରାମାଞ୍ଚଳରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ଏକ ଉଦାହରଣ ହେଉଛି ଜମନକିରା ବ୍ଲକ ଅନ୍ତର୍ଗତ ଗୁଣ୍ଡରୁଚୁଆଁଠାରୁ ଆମ୍ବକଟା ପର୍ଯ୍ୟନ୍ତ ରହିଥିବା ଆର୍ଡି ରାସ୍ତା। ପ୍ରାୟ ୪ କିଲୋମିଟର ଦୀର୍ଘ ଏହି ରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ବର୍ତ୍ତମାନ ଦଶହରା ପର୍ବକୁ ନେଇ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି। ଲୋକେ ନିଜ ନିଜର ଆବଶ୍ୟକତା ପୂରଣ ପାଇଁ ଗ୍ରାମରୁ ସହରକୁ ଏବଂ ସହରରୁ ଗ୍ରାମକୁ ଯାତାୟାତ କରୁଛନ୍ତି। ଏଭଳି ସମୟରେ ଗୁଣ୍ଡରୁଚୁଆଁ-ଆମ୍ବକଟା ରାସ୍ତାର ଦୁରବସ୍ଥା ଯାତ୍ରୀ ଓ ଗାଡ଼ିଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ବର୍ଷଠାରୁ ରାସ୍ତାଟି ଖରାପ ହୋଇପଡ଼ିଥିଲେ ମଧ୍ୟ ଏହାର ମରାମତି ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ପ୍ରତିଦିନ ଏହି ରାସ୍ତା ଦେଇ ଶତାଧିକ ଯାନବାହନ ଚଳାଚଳ କରୁଥିବା ବେଳେ ଲୋକେ ବିଭିନ୍ନ କାର୍ଯ୍ୟରେ ଜମନକିରା ଓ କୁଚିଣ୍ଡା ଯାତାୟାତ କରୁଛନ୍ତି। ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି। ରାସ୍ତାର ଦୁରବସ୍ଥା ନେଇ ଅଞ୍ଚଳବାସୀ ଜମନକିରା ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏହା ସହିତ ବିଭିନ୍ନ ସମୟରେ ଅଞ୍ଚଳକୁ ଆସୁଥିବା ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ମଧ୍ୟ ଏହି ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରାଯାଇଛି।ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ମନ୍ତ୍ରୀଙ୍କୁ ଅନୁରୋଧ ସତ୍ତ୍ୱେ ଏଯାଏଁ ରାସ୍ତା ନିର୍ମାଣ କିମ୍ବା ମରାମତି କାର୍ଯ୍ୟ ଆରମ୍ଭ ହୋଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଶୀଘ୍ର କାମ ଆରମ୍ଭ ହେବ ବୋଲି କେବଳ ପ୍ରତିଶ୍ରୁତି ଦିଆଯାଉଛି। ହେଲେ ବାସ୍ତବରେ କାର୍ଯ୍ୟ ଆଗେଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।ତେଣୁ ଜନସାଧାରଣଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ଗୁଣ୍ଡରୁଚୁଆଁ-ଆମ୍ବକଟା ଆର୍ଡି ରାସ୍ତାର ତୁରନ୍ତ ମରାମତି କିମ୍ବା ପୁନଃନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

