ନବରଙ୍ଗପୁର,27//10,(ଉତ୍କଳ ସମାଚାର): ସମ୍ଭାବ୍ୟ ବାତ୍ୟା ଓ ଏହାଜନିତ ପ୍ରବଳ ବର୍ଷାର ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ, ପୂର୍ବତନ ଜିଲ୍ଲାପାଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଡ. ମହେଶ୍ୱର ସ୍ୱାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ବିଭାଗୀୟ ସମନ୍ୱୟ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ୨୭ ଓ ୨୮ ଅକ୍ଟୋବର ୨୦୨୬ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି।ଜନସାଧାରଣଙ୍କୁ ତ୍ୱରିତ ସହାୟତା ଯୋଗାଇଦେବା ଓ ଜରୁରୀ ପରିସ୍ଥିତିରେ ସମନ୍ୱିତ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲା, ବ୍ଲକ, ତହସିଲ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ ପରିଚାଳନା କେନ୍ଦ୍ର, ନବରଙ୍ଗପୁରର ଯୋଗାଯୋଗ ନମ୍ବର ୦୬୮୫୮-୨୨୨୪୩୪। ଜରୁରୀ ସୂଚନା ଗ୍ରହଣ, ତଥ୍ୟ ଆଦାନପ୍ରଦାନ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ନିୟନ୍ତ୍ରଣ କକ୍ଷଗୁଡ଼ିକୁ ସକ୍ରିୟ ରଖାଯାଇଛି।ରାଜ୍ୟ ଜରୁରୀକାଳୀନ ପରିଚାଳନା କାର୍ଯ୍ୟାଳୟ (ଏସ୍ଆର୍ସି) ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପାଇଁ ୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଏଥିସହ ୭ମ SIRBNର ୨ଟି ଓଡ୍ରାଫ୍ ଟିମ୍ କୋଷାଗୁମୁଡ଼ା ବ୍ଲକରେ ଏବଂ ଗୋଟିଏ ଟିମ୍ ନବରଙ୍ଗପୁର ବ୍ଲକରେ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି।ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ କର୍ମଚାରୀ ଓ ଯନ୍ତ୍ରପାତି ସହ ୧୨ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ ରଖାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଓ ଜରୁରୀକାଳୀନ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଚାଳକଙ୍କ ସହ ୨୫୧ଟି ଯାନ ଚିହ୍ନଟ କରାଯାଇଛି।ଜିଲ୍ଲାର ବିପଦସଂକୁଳ ବ୍ଲକଗୁଡ଼ିକରେ ପରିସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ନୋଡାଲ ଅଧିକାରୀ ଚିହ୍ନଟ କରାଯାଇଛନ୍ତି। ସ୍ଥାନୀୟ ସ୍ତରରେ ସମନ୍ୱୟ ରକ୍ଷା, ପରିସ୍ଥିତିର ନିୟମିତ ଅନୁଧ୍ୟାନ ଏବଂ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।ସମ୍ଭାବ୍ୟ ଜଳବନ୍ଦୀ ଓ ଜଳନିଷ୍କାସନ ସମସ୍ୟାକୁ ଦୃଷ୍ଟିରେ ରଖି ସହରାଞ୍ଚଳର ଡ୍ରେନ୍ଗୁଡ଼ିକ ସଫା କରାଯାଇଛି। ଏଥିସହ ବିଭିନ୍ନ ସ୍ଥାନରୁ ବିପଦଜନକ ଗଛ ହଟାଯାଇଛି, ଯାହାଦ୍ୱାରା ବର୍ଷା ଓ ପ୍ରବଳ ପବନ ସମୟରେ ସମ୍ଭାବ୍ୟ ବିପଦକୁ ହ୍ରାସ କରାଯାଇପାରିବ।ବିଦ୍ୟୁତ୍ ବ୍ୟାକଅପ୍, ପାନୀୟ ଜଳ ଓ ପରିମଳ ଭଳି ଆବଶ୍ୟକୀୟ ସୁବିଧା ସହ ୧୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏଥିସହ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀର ପରିଚାଳନା ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛନ୍ତି।ଜିଲ୍ଲାର ୨୨ଟି ବିପଦସଂକୁଳ ଗ୍ରାମ ପଞ୍ଚାୟତ ଓ ୬୦ଟି ବିପଦସଂକୁଳ ଗ୍ରାମ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ୧୧,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି। ଜରୁରୀ ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।ଜରୁରୀ ପରିସ୍ଥିତିରେ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଧାରିତ ଆଶ୍ରୟସ୍ଥଳୀଗୁଡ଼ିକରେ ୩୫ କ୍ୱିଣ୍ଟାଲ ଚୁଡ଼ା ଓ ୩.୫ କ୍ୱିଣ୍ଟାଲ ଚିନିର ବ୍ୟବସ୍ଥା କରାଯାଇଛି।ଏଥିସହ ଜିଲ୍ଲାର ୧୦ଟି ତହସିଲରେ ୨,୦୩୦ଟି ପଲିଥିନ୍ ସିଟ୍ ମହଜୁଦ ରଖାଯାଇଛି। ଆବଶ୍ୟକ ସମୟରେ ଏହି ସାମଗ୍ରୀଗୁଡ଼ିକୁ ରିଲିଫ୍ କାର୍ଯ୍ୟରେ ବ୍ୟବହାର କରାଯିବ।ବାତ୍ୟା ସମୟରେ ମାତୃ ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାରେ ୩୨୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଉଛି।ସମ୍ଭାବ୍ୟ ବର୍ଷା ଓ ଜଳସ୍ତର ବୃଦ୍ଧିଜନିତ ବିପଦକୁ ଦୃଷ୍ଟିରେ ରଖି ନଦୀ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଜଳସ୍ତରରେ ଅସ୍ୱାଭାବିକ ବୃଦ୍ଧି ଘଟିଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରେ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଗୋଟିଏ ପାୱାର ବୋଟ୍ ଏବଂ ୯ଟି ଫାୟାର ବୋଟ୍ ଅବସ୍ଥାପିତ କରାଯାଇଛି।ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗ ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି। ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍ ବଣ୍ଟନ ଓ ଜରୁରୀକାଳୀନ ସହାୟତାକୁ ସୁଚାରୁ ଭାବେ ପରିଚାଳନା କରିବା ସହ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା।ଜନସାଧାରଣଙ୍କୁ ପାଣିପାଗ ସମ୍ବନ୍ଧୀୟ ସରକାରୀ ସୂଚନା ଓ ପରାମର୍ଶ ଅନୁସରଣ କରିବା, ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବା ଏବଂ ଜରୁରୀ ପରିସ୍ଥିତିରେ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷର ୦୬୮୫୮-୨୨୨୪୩୪ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି
