କେନ୍ଦୁଝର:27//10,(ଉତ୍କଳ ସମାଚାର) ଜିଲ୍ଲାରେ ପ୍ରଶାସନିକ ସ୍ୱଚ୍ଛତା ଏବଂ ଦୁର୍ନୀତି ନିବାରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଦୁର୍ନୀତି ନିବାରଣ ସପ୍ତାହର ପ୍ରଥମ ଦିନରେ ଯୁଗ୍ମ ଅଭିଯୋଗ ଶୁଣାଣି ଅବସରରେ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୋଧରେ ସାଧୁତାର ଶପଥ ଗ୍ରହଣ କରିଛନ୍ତି। ପାଟଣା ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦେଶର ପ୍ରଗତି ପାଇଁ ଦୁର୍ନୀତି ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଥିଲେ।ଆଜିଠାରୁ ‘ଦୁର୍ନୀତି ନିବାରଣ ସପ୍ତାହ’ର ଶୁଭାରମ୍ଭ ହୋଇଥିବା ବେଳେ ଆଗାମୀ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ବିଭାଗ ତରଫରୁ ବିଭିନ୍ନ ସଚେତନତା ଓ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମମାନ ଆୟୋଜିତ ହେବ। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକର, ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ହନୁମନ୍ତ ଧାମଧେରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ, କେନ୍ଦୁଝର, ପାଟଣା ତହସିଲଦାର ଶ୍ରୀ ଅଶ୍ୱିନୀ କୁମାର ନାୟକ ଆଦି ଉପସ୍ଥିତ ଥିଲେ। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସାଙ୍ଗକୁ ସେମାନଙ୍କୁ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନିକ ସେବା ଯୋଗାଇଦେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।ଅନ୍ୟପକ୍ଷରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲଠାରେ ମଧ୍ୟ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସମସ୍ତ ବିଭାଗ ଓ ଉପ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ । ଏଥିରେ ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡ଼ା,କିରଣ କୁମାର ନାଏକ, ଅରୁଣିମା ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସାର୍ଥକ ରାଏ, ସହକାରୀ ଜିଲ୍ଲାପାଳ ସରୋଜ କୁମାର ମଲ୍ଲିକ, ସୁବ୍ରତ କୁମାର ପାତ୍ର, ସନ୍ତୋଷ କୁମାର ଜେନା, ବୈରାଗୀ ନାୟକ, ସନ୍ତୋଷ କୁମାର ପରିଡ଼ା ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ।ଏହି ଶପଥ ପାଠ ମାଧ୍ୟମରେ ସମସ୍ତେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ କରିବା, ଦୁର୍ନୀତି ବିରୋଧରେ ସଚେତନ ରହିବା ଏବଂ ଏକ ସ୍ୱଚ୍ଛ, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ପ୍ରଶାସନିକ ବ୍ୟବସ୍ଥା ଗଠନ ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦିଆଯାଇଥିଲା।ଦୁର୍ନୀତି ନିବାରଣ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ଏହା ଏକ ସାମୂହିକ ସାମାଜିକ ଦାୟିତ୍ୱ। ଏଥିପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ଓ ନୈତିକ ପ୍ରତିବଦ୍ଧତା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରାଯାଇଥିଲା।

