ସମ୍ବଲପୁର,୩୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପୂର୍ବତନ ରେଙ୍ଗାଲି ବିଧାୟକ ରମେଶ ପଟୁଆ ପୁଣିଥରେ ବିଜୁ ଜନତା ଦଳ (ବିଜେଡ଼ି)କୁ ଫେରିଛନ୍ତି। କିଛି ଦିନ ପୂର୍ବେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଥିବା ସେ ଆଜି ବିଜେପି ଛାଡ଼ି ନିଜ ପୁରୁଣା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରମେଶ ପଟୁଆ ନିଜ ସମର୍ଥକଙ୍କ ସହ ବିଜେଡ଼ିରେ ପୁନଃ ଯୋଗଦେଇଥିଲେ। ଏହି ଅବସରରେ ସେ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତ୍ତମାନର ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନେତୃତ୍ୱ ଏବଂ ବିଜୁ ଜନତା ଦଳର ଆଦର୍ଶ ଉପରେ ଆସ୍ଥା ପ୍ରକଟ କରିଥିଲେ।ତାଙ୍କର ଏହି ଘରବାହୁଡ଼ାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯୋଗଦାନ କାର୍ଯ୍ୟକ୍ରମରେ ବିଜେଡ଼ିର ବରିଷ୍ଠ ନେତା ପ୍ରତାପ ଜେନା ଓ ଲେଲିନ ମହାନ୍ତିଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ

