ସମ୍ବଲପୁର,୩୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାରେ ସମ୍ବଲପୁର ଜିଲ୍ଲାର ୬୧,୮୩୪ରୁ ଊର୍ଦ୍ଧ୍ୱ ଯୋଗ୍ୟ ଚାଷୀଙ୍କୁ କିସ୍ତି ପିଛା ୨,୦୦୦ ଟଙ୍କା ହିସାବରେ ମୋଟ ୧୨.୩୬ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯିବ। ଏହି ଅର୍ଥ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର ହେବ।କେନ୍ଦ୍ର ସରକାର ୨୦୧୯ ଫେବୃଆରୀରେ କୃଷକଙ୍କ ଆର୍ଥିକ ସହାୟତା ଓ କଲ୍ୟାଣ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ। ଯୋଜନା ଅନୁଯାୟୀ, ଯୋଗ୍ୟ କୃଷକଙ୍କୁ ବର୍ଷକୁ ୬,୦୦୦ ଟଙ୍କା ତିନିଟି ସମାନ କିସ୍ତିରେ ଦିଆଯାଏ। ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ସହ ଘରୋଇ ଆବଶ୍ୟକତା ପୂରଣରେ ଏହି ସହାୟତା ଚାଷୀଙ୍କ କାମରେ ଆସେ।ଇ-କେୱାଇସି, ଜମିଜମା ବିବରଣୀ, ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ୍ ଏବଂ ଆଧାର ଅନୁଯାୟୀ ନାମ ସଂଶୋଧନ ଭଳି ଆବଶ୍ୟକତା ପୂରଣ କରିଥିବା ହିତାଧିକାରୀମାନେ ଏହି ସହାୟତା ପାଇବେ। ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଯୋଗୁଁ ଅର୍ଥ ହସ୍ତାନ୍ତରରେ ସ୍ୱଚ୍ଛତା ରହୁଛି।ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ସାଂସଦ ପ୍ରତିନିଧି ମିତ୍ରଭାନୁ ପ୍ରଧାନ, ସିଡିଏଓ ସତ୍ୟବାନ ସୋରେନ, ଡିଡିଏଚ୍ ଗୋବିନ୍ଦ ପଣ୍ଡା, ଡିଏଫ୍ଓ ପୁଳିନ ମହାନ୍ତି ଏବଂ ପିଡି ୱାଟରସେଡ୍ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

