ସମ୍ବଲପୁର,୩୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ):“ମହିଳା କାବ୍ୟ ମଞ୍ଚ”ର ସମ୍ବଲପୁର ଶାଖା ଓ “କବି ଓ କବିତା” ଅନୁଷ୍ଠାନ ପକ୍ଷରୁ ସମ୍ବଲପୁର ସାମ୍ବାଦିକ ଭବନରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି।ମହିଳା କାବ୍ୟ ମଞ୍ଚର ସମ୍ବଲପୁର ଶାଖା ସଭାପତି ଶ୍ରୀମତୀ ସୁପ୍ରିୟା ପୁତୁଲ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଡ. ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। “କବି ଓ କବିତା”ର ସଂଯୋଜକ ପ୍ରଫୁଲ୍ଲ ଦାସ ଓ ମହିଳା କାବ୍ୟ ମଞ୍ଚର ସମ୍ବଲପୁର ଶାଖା ସମ୍ପାଦିକା ଶ୍ରୀମତୀ ଭାରତୀ ପଣ୍ଡା ମଞ୍ଚାସୀନ ଥିଲେ।ପ୍ରଥମେ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରୀମତୀ କଳ୍ପନା ମହାପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ପ୍ରଫୁଲ୍ଲ ଦାସ “କବି ଓ କବିତା” ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷା ସୁପ୍ରିୟା ପୁତୁଲ ଦାସ କହିଥିଲେ, ମହିଳା କାବ୍ୟ ମଞ୍ଚ ଜରିଆରେ ନାରୀଶକ୍ତି ମଧ୍ୟରେ ସାରସ୍ୱତ ଜାଗରଣ ସୃଷ୍ଟି କରିବା ଏବଂ ସମାଜ ସଂସ୍କାର ଦିଗରେ ମହିଳାଙ୍କ ଗୁରୁଦାୟିତ୍ୱ ସମ୍ପର୍କରେ ସଚେତନତା ବଢ଼ାଇବା ମଞ୍ଚର ମୂଳ ଉଦ୍ଦେଶ୍ୟ।ମୁଖ୍ୟ ଅତିଥି ଡ. ପାଣିଗ୍ରାହୀ କହିଥିଲେ, ମହିଳାମାନଙ୍କ ହୃଦୟ ଓ ମନୋସ୍ଥିତି ସଦା କୋମଳ ରହିବା ଆବଶ୍ୟକ। ଏହାଦ୍ୱାରା ସେମାନଙ୍କ ପ୍ରତିଭା ବିକଶିତ ହେବା ସହ ଲୋକାଦୃତ ହୋଇପାରିବ। ସାହିତ୍ୟ ସର୍ବଦା ସ୍ରଷ୍ଟାଙ୍କର ଏକ ସୃଜନାତ୍ମକ ସୃଷ୍ଟି ବୋଲି ସେ ମତ ଦେଇଥିଲେ।ସଭାରେ ଭବାନୀ ଶଙ୍କର ମେହେର, କମଳ ଲୋଚନ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ଜୟକୃଷ୍ଣ ବେହେରା, କଳ୍ପନା ମହାପାତ୍ର, ସବିତା ମିଶ୍ର, ଅଳକା ମହାପାତ୍ର, ବିଦ୍ୟୁତଲତା ସାହୁ, ଶାନ୍ତିଲତା ପାଣ୍ଡେ, ପ୍ରଦୀପ ଯୋଶୀ ଓ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ଭାରତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ

