ରାଉରକେଲା:1//11,(ଉତ୍କଳ ସମାଚାର)ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଓ ରାଉରକେଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ସହଯୋଗରେ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚଳିତ ଵର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସହରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି l ଆଜିର ଏହି କାର୍ଯ୍ୟକ୍ରମରେ ପଶ୍ଚିମାଂଚଳ ଆରକ୍ଷୀ ଉପମହାନୀରିକ୍ଷକ ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନର ଶୀର୍ଷକ ହେଉଛି ” ସାଧୁତାରୁ ସମୃଦ୍ଧି”। ସମସ୍ତଙ୍କ ମିଳିତ ସହଯୋଗରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରାଯାଇପାରିବା ସହିତ ଯୁବ ପିଢିମାନେ ଏଥିପାଇଁ ଆଗେଇ ଆସନ୍ତୁ ବୋଲି ଡିଆଇଜି ଶ୍ରୀ ରାଏ ଆହ୍ବାନ ଦେଇଥିଲେ। ଦୁର୍ନୀତି ନିବାରଣ ହୋଇପାରିଲେ, ସମାଜର ପ୍ରଗତି ତଥା ଦେଶର ପ୍ରଗତି ସୁନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ରାଏ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଦୁର୍ନୀତି ମୁକ୍ତ ସମାଜ କେବଳ ଆଇନ ଦ୍ୱାରା ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିର ସଚ୍ଚୋଟତା ଓ ନୈତିକ ଆଚରଣ ଦ୍ୱାରା ଗଠିତ ହୋଇଥାଏ । ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଇସ୍ପାତ ମହାବିଦ୍ୟାଳୟର ଅଧ୍ୟାପକ ଆଲୋକ କୁମାର ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସାଧୁତାର ସହ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବା ଆବଶ୍ୟକ। ସମସ୍ତଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ କରିବାକୁ ସେ ଆହ୍ବାନ ଦେଇଥିଲେ। ରାଉରକେଲା ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧିକ୍ଷକ ହରେକୃଷ୍ଣ ମାଝୀ ତାଙ୍କ ଅଭିଭାଷଣ ମାଧ୍ୟମରେ ରାଉରକେଲା ଭିଜିଲାନ୍ସ ଡିଭିଜନରେ ବିଗତ ୨ ବର୍ଷର କାର୍ଯ୍ୟ ଦକ୍ଷତାର ବିବରଣୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଗତ ୧୨.୬.୨୦୨୪ରୁ ୨୬.୧୦.୨୦୨୬ ମଧ୍ୟରେ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ୩୬ ଅପରାଧିକ ମାମଲା ରୁଜୁ ହେବା ସହିତ ୩୫ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇଛି । ସେଥିରୁ ୫ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଓ ୬ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଅଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ୮ଟି ମାମଲା ରୁଜୁ କରାଯାଇଛି । ଯେଉଁଥିରେ ନଗଦ ୪୬ଲକ୍ଷ ଟଙ୍କା ଜବତ୍ କରାଯାଇଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କୋର୍ଟରେ ୧୨୭ଟି ଅଭିଯୋଗପତ୍ର ଦାଖଲ ହୋଇଛି। ସୁନ୍ଦରଗଡ ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅଦାଲତରେ ୬୨ଟି ମାମଲାର ନିଷ୍ପତ୍ତି ହୋଇଛି। ଏହି ସମୟସୀମା ମଧ୍ୟରେ ୩୨ଟି ମାମଲାର ଦଣ୍ଡବିଧାନ ହୋଇଛି ଏବଂ ୪୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ପରେ ୬ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯିବା ସହିତ ୧୫ ଜଣଙ୍କ ପେନସନ୍ ମଧ୍ୟ ବନ୍ଦ କରାଯାଇଛି। ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପୂର୍ବରୁ ଆଜି ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରୁ ଆଇଟିଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା।ଏଥିରେ ପାନପୋଷ କ୍ରୀଡା ଛାତ୍ରାବାସର ଛାତ୍ରଛାତ୍ରୀ , ଦୁର୍ନିତି ନିବାରଣ ବିଭାଗର ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ lଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ଦୀନାଃ ଦସ୍ତଗୀର, ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧ୍ୱୱାନୀ, ରାଉରକେଲା ଡିଏଫଓ ରବିକାନ୍ତ ମୀନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ରାଷ୍ଟ୍ରିୟ ଏକତା ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥ ପାଠ କରାଇଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ ସୋମନାଥ ଜେନା କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ମଂଚ ପରିଚାଳନା କରଥିଲେ l

