ରାଉରକେଲା ୧/୧୧,(ଉତ୍କଳ ସମାଚାର) ଆଜି ଗାଙ୍ଗପୁର ମଜଦୂର ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରାଉରକେଲା ସେକ୍ଟର-୮ ଗାଙ୍ଗପୁର ମଜଦୁର ମଞ୍ଚର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ, ଆସନ୍ତା ୟୁନିୟନ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ କାହାରି ସହିତ ସନ୍ଧି ନକରି ସ୍ଵତନ୍ତ୍ର ଭାବରେ ନିର୍ବାଚନ ଲଢିବ। ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ ଏଥିସହିତ କହିଥିଲେ ଯେ, ୟୁନିଅନର ସ୍ଥାପନା ଆଦିବାସୀ ମୂଳନୀବାସୀ ଏବଂ ବିସ୍ଥାପିତ ଶ୍ରମିକମାନଙ୍କୁ ନେଇ ସ୍ଵର୍ଗତ ଜର୍ଜ ତିର୍କୀଙ୍କ ତତ୍ତ୍ୱାବଧାନରେ ଗଠନ କରାଯାଇଛି । ସ୍ୱର୍ଗତଃ ଜର୍ଜ ତିର୍କୀ ଥିଲେ ଗାଙ୍ଗପୁର ମଜଦୁର ୟୁନିଅନର ପଥ ପ୍ରଦର୍ଶକ ଏବଂ ଦିଗ ଦର୍ଶକ । ଗାଙ୍ଗପୁର ମଳଦୂର ମଞ୍ଚର ଗଠନ ହେବା ପରଠାରୁ ଏହି ୟୁନିଅନ ସ୍ଵତନ୍ତ୍ର ଭାବରେ ଶ୍ରମିକମାନଙ୍କ ହିତରେ କାମ କରିଆସୁଅଛି। ଗାଙ୍ଗପୁର ମଜଦୂର ମଞ୍ଚ ପ୍ରଥମ ଦୁଇଥର ରାଉରକେଲା ଇସ୍ପାତ କାରଖାନାର ସ୍ଵିକୃତି ପ୍ରାପ୍ତ ୟୁନିଅନ ନିର୍ବାଚନରେ ଭାଗ ନେଇ ୨୦ ପ୍ରତିଶତରୁ ଉର୍ଦ୍ଧ୍ଵ ଭୋଟ ହାସଲ କରିପାରିଥିଲା। ରାଉରକେଲା ଇସ୍ପାତ କାରଖାନାର ଶ୍ରମିକମାନେ ଗାଙ୍ଗପୁର ମଳଦୂର ମଞ୍ଚ ଉପରେ ଭରସା କରୁଥିଲେ ଏବଂ କରୁଛନ୍ତି ମଧ୍ୟ ବୋଲି ଶ୍ରୀ ଦାସ କହିଥିଲେ। ପ୍ରଥମ ଦୁଇ ନିର୍ବାଚନରେ RIKKS(BMS) ଜିତିଥିଲା ଏବଂ ସ୍ଵିକୃତି ପ୍ରାପ୍ତ ୟୁନିଅନ ହିସାବରେ କାର୍ଯ୍ୟ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ RIKKS(BMS)ର ଶ୍ରମିକ ବିରୋଧୀ ନୀତିମାନଙ୍କ ପାଇଁ ଅତିଷ୍ଠ ହୋଇ ଏବଂ ଶ୍ରମିକ ହିତକୁ ଆଖି ଆଗରେ ରଖି ଗତ ଦୁଇଟି ସ୍ଵିକୃତି ପ୍ରାପ୍ତ ୟୁନିଅନ ନିର୍ବାଚନରେ ଗାଙ୍ଗପୁର ମଜଦୂର ମଞ୍ଚ, ରାଉରକେଲା ଶ୍ରମିକ ସଂଘ ସହିତ ଏକ ସନ୍ଧିକରିଥିଲା ଏବଂ ନିର୍ବାଚନ ଲଢିଥିଲା । ଯାହାର ଫଳ ସ୍ବରୂପ ଗତ ଦୁଇଟି ନିର୍ବାଚନରେ ଗାଙ୍ଗପୁର ମଜଦୂର ମଞ୍ଚ ଏବଂ ରାଉରକେଲା ଶ୍ରମିକ ସଂଘ ସନ୍ଧି ୟୁନିଅନ ନିର୍ବାଚନରେ ବିଜୟ ଲାଭ କରିଥିଲା । ଏହି ସନ୍ଧି ଅନୁସାରେ ଦୁଇ ୟୁନିଅନ ଭିତରେ ଗୋଟିଏ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ଯେଉଁଥିରେ ରାଉରକେଲା ଶ୍ରମିକ ସଂଘର ୬୦ ପ୍ରତିଶତ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ୪୦ ପ୍ରତିଶତ ସଭ୍ୟ ରାଉରକେଲା ଇସ୍ପାତ କାରଖାନାର ସମସ୍ତ ଯୁଗ୍ମ କମିଟିରେ ଭାଗିଦାରୀ ରହିବେ ଏବଂ ଶ୍ରମିକ ହିତରେ କାର୍ଯ୍ୟ କରିବେ ବୋଲି ଚୁକ୍ତି ରହିଥିଲା। ସେହି ସମୟ ମଧ୍ୟରେ GMM ଏବଂ RSS ୟୁନିଅନ ମିଶି ଶ୍ରମିକମାନଙ୍କ ହିତରେ ବହୁତ କାର୍ଯ୍ୟ ମଧ୍ୟ କରିଛନ୍ତି । ଏହାକୁ ସହ୍ୟ କରି ନପାରି RIKKS (BMS) ପ୍ରଥମେ କୋର୍ଟକୁ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ କୋର୍ଟରେ କେସକୁ ପ୍ରତ୍ୟାହାର କରି ନେଇଥିଲା । ଏବେ କେନ୍ଦ୍ର ସରକାର ୨୯ଟି ଲେବର କୋଡ଼କୁ ପ୍ରତ୍ୟାହାର କରି ୪ଟି ଲେବର କୋଡ଼ରେ ଶିମିତ ରଖିଛନ୍ତି। ସେହି ନୂତନ ଲେବର କୋଡ଼ର ଭାଗ ୧୬ ଅନୁସାରେ ଯେଉଁ ୟୁନିଅନ ୫୧ ପ୍ରତିଶତ କିମ୍ବା ତାଠାରୁ ଉର୍ଦ୍ଧ୍ଵ ପ୍ରତିଶତ ଭୋଟ ପାଇବ ସେହି ୟୁନିଅନଟି ସ୍ଵିକୃତି ପ୍ରାପ୍ତ ୟୁନିଅନ ହିସାବରେ କାର୍ଯ୍ୟ କରିବ ଏବଂ ଯଦି କୌଣସି ୟୁନିଅନ ୫୧ ପ୍ରତିଶତ କିମ୍ବା ତାଠାରୁ ଉର୍ଦ୍ଧ୍ବ ପ୍ରତିଶତ ଭୋଟ ପାଇବ ନାହିଁ, ସେହି ପରିସ୍ଥିତିରେ କମ୍ପାନୀ ଗୋଟିଏ ଗଠନ କରିବ । ଯେଉଁ କାରଖାନାରେ ଏକରୁ ଅଧିକ ୟୁନିଅନ କାର୍ଯ୍ୟ କରୁଛନ୍ତି ଏବଂ ସେଠାରେ ୨୦ ପ୍ରତିଶତରୁ ଅଧିକ ଭୋଟ ଯେଉଁ ୟୁନିଅନ ପାଇବ ସେହି ୟୁନିଅନର ଏକ ପ୍ରତିନିଧ ର ମେମ୍ବର ରହିବେ ଏବଂ ସେହି ର ମେମ୍ସରମାନଙ୍କ ସହିତ କମ୍ପାନୀର ବାର୍ତାଳାପ କରି ନିତି ନିୟମ ପ୍ରଣୟନ କରାଯିବ ବୋଲି ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ କହିଥିଲେ। କେନ୍ଦ୍ର ସରକାରଙ୍କ ଏହି ନୂତନ ଲେବର କୋର୍ଡ଼ର ନିୟମକୁ ଭୟ କରି RIKKS (BMS),ଙ୍କ ଠାରେ ଆଚାର ସଂହିତାକୁ ଆଧାର କରି ଗାଙ୍ଗପୁର ମଜଦୂର ମଞ୍ଚ ଏବଂ ରାଉରକେଲା ଶ୍ରମିକ ସଂଘ ୟୁନିଅନ ର ସନ୍ଧି ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରିଥିଲା ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ଚାପରେ ଦ୍ବାରା ଏହି ସନ୍ଧିକୁ ନିରସ୍ତ କରି ରାଉରକେଲା ଇସ୍ପାତ କାରଖାନା ରେ କାର୍ଯ୍ୟରତ ସମସ୍ତ ଯୁଗ୍ମ କମିଟି ମାନଙ୍କ ଠାରୁ ଗାଙ୍ଗପୁର ମଳର ମଞ୍ଚ ର ପ୍ରତିନିଧି ମାନଙ୍କୁ ବାହାର କରାଗଲା ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ।ଗାଙ୍ଗପୁର ମଜଦୁର ମଞ୍ଚ ସଦାସର୍ବଦା ଶ୍ରମିକ, କର୍ମଚାରୀ ଓ ବିସ୍ଥାପିତ ପରିବାରମାନଙ୍କର ନ୍ୟାୟସଙ୍ଗତ ଅଧିକାର, ସାମାଜିକ ସୁରକ୍ଷା ଓ ସମ୍ମାନଜନକ ଜୀବନ ପାଇଁ ସଂଗ୍ରାମ କରିଆସୁଛି । ଦୀର୍ଘଦିନ ଧରି ଅନେକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଅମୀମାଂସିତ ରହିଥିବାରୁ ଶ୍ରମିକ ସମାଜ ମଧ୍ୟରେ ଅସନ୍ତୋଷ ଓ ଅନିଶ୍ଚିତତା ବୃଦ୍ଧି ପାଉଛି ବୋଲି ଗୋପାଳ ଦାସ କହିଥିଲେ। ଆସନ୍ତା ୟୁନିୟନ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ ଏକାକୀ ନିର୍ବାଚନ ଲଢିବ ବୋଲି ଗାଙ୍ଗପୁର ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସ ଆହ୍ବାନ ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଗୋପାଳ ଦାସଙ୍କ ସମେତ କାର୍ଯ୍ୟକାରୀ ସଭାପତି ମାଙ୍ଗେ ଏକ୍କା, ଉପସଭାପତି ଥମାସ୍ ଟପ୍ପୋ, ଉପସଭାପତି ବିଷ୍ଣୁ ଚରଣ ମାହାତୋ, ଉପସଭାପତି ରାଜେଶ ତିର୍କୀ, କୋଷାଧ୍ୟକ୍ଷ ଆନନ୍ଦ କୁମାର ଟପ୍ପୋ, ସମ୍ପାଦକ ରାଜୁ କିସାନ, କାର୍ତ୍ତିକ କିଶୋର ବେହେରା, ମହାବୀର ଦାସ, ଏନ୍ କେ ରାମ, ରାଜୁ ବଡାଇକ, ଜନ୍ ଡୁଙ୍ଗଡୁଙ୍ଗ, ରାଇଦାସ ତିର୍କୀ, ଶ୍ରୀ ହରି, ଭଗବାନ ନାଏକ, ଲକ୍ଷ୍ମିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

