ସମ୍ବଲପୁର,୦୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ରହିଥିବା ବିଭିନ୍ନ ଅବ୍ୟବସ୍ଥା ଓ ଅଭାବ ଦୂର କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଏସଡିଏ ର ପୂର୍ବତନ ଅଧକ୍ଷ ଜୟବ୍ରତ ଦେ ଏହି ଦାବିପତ୍ର ମାଧ୍ୟମରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ଭୀମସାର ଏବଂ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ରହିଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଦାବି କରିଛନ୍ତି।ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୧୨୪ଟି ଡାକ୍ତର ପଦ ମଧ୍ୟରୁ ୯୦ଟି ପଦ ଖାଲି ପଡ଼ିଛି। ଏହା ଫଳରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରେ ଅସୁବିଧା ଭୋଗୁଛନ୍ତି। ଖାଲି ପଡ଼ିଥିବା ଡାକ୍ତର ପଦଗୁଡ଼ିକୁ ତୁରନ୍ତ ପୂରଣ କରିବା ସହ ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଇଦେବାକୁ ଦାବି କରାଯାଇଛି।ବୁର୍ଲା ଭୀମସାରରେ ନର୍ସଙ୍କ ଅଭାବ, ଗୁରୁତର ରୋଗୀଙ୍କ ପାଇଁ ଉନ୍ନତ ଚିକିତ୍ସା ସୁବିଧା, ଚୁମ୍ବକୀୟ ଅନୁସନ୍ଧାନ ଯନ୍ତ୍ର ଏବଂ କର୍କଟ ରୋଗର ଔଷଧ ଉପଲବ୍ଧତା ସମ୍ପର୍କରେ ମଧ୍ୟ ଦାବି ଉଠାଯାଇଛି। ଏଥିସହ ଅତ୍ୟାଧୁନିକ ରୋଗ ନିରୂପଣ ସୁବିଧା ଯୋଗାଇବା ଏବଂ ଚିକିତ୍ସାଳୟରେ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ କରିବାକୁ ଦାବି କରାଯାଇଛି।ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଭଣ୍ଡାର ପ୍ରାୟ ୧୦ ମାସ ଧରି ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଏହା ଫଳରେ ଜରୁରୀ ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରକ୍ତଭଣ୍ଡାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦେବାକୁ ଦାବି ହୋଇଛି।ସ୍ୱାସ୍ଥ୍ୟ ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା, ଔଷଧ ଓ ଚିକିତ୍ସା ଉପକରଣ କ୍ରୟରେ ଅନିୟମିତତା ସମ୍ପର୍କିତ ଅଭିଯୋଗର ତଦନ୍ତ, ଶିଳ୍ପାଞ୍ଚଳରେ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏବଂ ଚିକିତ୍ସାଳୟରେ ମହିଳାଙ୍କ ସୁରକ୍ଷା ପାଇଁ ଉଚିତ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି।ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ସମୟରେ ଅନୁମତି, ଅଗ୍ନିନିରାପତ୍ତା ଓ କୋଠାର ସ୍ଥାୟିତ୍ୱ ଯାଞ୍ଚକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରି ୩୦, ୬୦ ଓ ୯୦ ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ସମାଧାନ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଦାବି ହୋଇଛି।ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଏବଂ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ପ୍ରଦାନ କରାଯାଇଛି

