ସମ୍ବଲପୁର,୦୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ସମ୍ବଲପୁର ବୋଲି ଗବେଷକମାନେ ବିଭିନ୍ନ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଗୁରୁ ପଦ୍ମସମ୍ଭବ ପ୍ରଚାର ସମିତି ଓ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ୧୧ତମ ସମର୍ପଣ ଉତ୍ସବର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ସେମିନାରରେ ଏହି ମତ ଉପସ୍ଥାପିତ ହୋଇଛି।ଏହି ଅବସରରେ ଗବେଷକ ଭବାନୀଶ ଭୋଇଙ୍କ ଗବେଷଣାମୂଳକ ପୁସ୍ତକ ‘ସମ୍ବଲପୁତ୍ର ଗୁରୁ ପଦ୍ମସମ୍ଭବ’ ଲୋକାର୍ପିତ ହୋଇଥିଲା।ସେମିନାରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ବ୍ୟୋମକେଶ ତ୍ରିପାଠୀ ବୌଦ୍ଧ ଧର୍ମର ବିକାଶ ପ୍ରକ୍ରିୟାରେ ବଜ୍ରଯାନ ଓ ରାଜା ଇନ୍ଦ୍ରଭୂତିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଗୁରୁ ପଦ୍ମସମ୍ଭବ ସମ୍ବଲପୁର ମାଟିର ତନ୍ତ୍ର ପରମ୍ପରାକୁ ସାରା ବିଶ୍ୱରେ ପହଞ୍ଚାଇଥିବା ଉଲ୍ଲେଖ କରି ସେ ତାଙ୍କୁ ସମ୍ବଲପୁର ମାଟିର ଜଣେ ମହାନ ସାଧକ ଭାବେ ବର୍ଣ୍ଣନା କରିଥିଲେ।ବଲାଙ୍ଗୀରର ଗବେଷକ ସାଲେଗ୍ରାମ ହୋତା ପଶ୍ଚିମାଞ୍ଚଳର ତନ୍ତ୍ର ପରମ୍ପରା ଉପରେ ଆଲୋକପାତ କରିଥିଲେ। ଗୁରୁ ପଦ୍ମସମ୍ଭବ, ବଜ୍ରଗୁରୁ ଇନ୍ଦ୍ରଭୂତି ଓ ସାଧ୍ୱୀ ଲକ୍ଷ୍ମୀଙ୍କରାଙ୍କ ମଧ୍ୟରେ ଥିବା ସମ୍ପର୍କ ସମ୍ପର୍କରେ ସେ ତଥ୍ୟ ଉପସ୍ଥାପନ କରିଥିଲେ।ପରି ସୋନପୁରର ଗବେଷକ ମୀନା ମହାରଣା ସୋନପୁରରେ ଗୁରୁ ପଦ୍ମସମ୍ଭବ ଓ ଲକ୍ଷ୍ମୀକରାଙ୍କ ସାଧନା କ୍ଷେତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଲକ୍ଷ୍ମୀକରା ସୋନପୁରର ରାଣୀ ଭାବେ ସେଠାକାର ତନ୍ତ୍ର ପରମ୍ପରାକୁ ବ୍ୟାପକ କରିଥିବା ସେ କହିଥିଲେ। ବରଗଡ଼ ଜିଲ୍ଲାର ରହସ୍ୟବାଦୀ ଲେଖକ ମୀନୁ ହୋତା ପଶ୍ଚିମ ଓଡ଼ିଶାର ସାତବହନୀ ପରମ୍ପରା ଉପରେ ଆଲୋକପାତ କରିଥିଲେ। ବଜ୍ରଯାନ ଓ ସହଜଯାନ ସହିତ ସାତବହନୀ ପରମ୍ପରାର ସମ୍ପର୍କ ଥିବା ସେ ମତ ଦେଇଥିଲେ। ଅନ୍ୟତମ ଗବେଷକ ଝାରସୁଗୁଡ଼ାର କୈବଲ୍ୟ କୁମାର ମିଶ୍ର ପଶ୍ଚିମ ଓଡ଼ିଶାର ଚର୍ଯ୍ୟାଗୀତିକାରେ ସ୍ଥାନ ପାଇଥିବା ସିଦ୍ଧ ସାଧକମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।ପୁସ୍ତକର ଲେଖକ ଭବାନୀଶ ଭୋଇ ସମ୍ବଲପୁର ଅଞ୍ଚଳର ତନ୍ତ୍ର ପରମ୍ପରାକୁ ରାଜା ଇନ୍ଦ୍ରଭୂତି ବୌଦ୍ଧ ଧର୍ମରେ ସାମିଲ କରିଥିବା ସମ୍ପର୍କରେ ନିଜର ଗବେଷଣାମୂଳକ ମତ ରଖିଥିଲେ। ସେହି ସମୟରେ ଏହି ଅଞ୍ଚଳ ହୀରାଖଣି ପାଇଁ ପ୍ରସିଦ୍ଧ ଥିବାରୁ ନିଜର ନୂତନ ମତବାଦକୁ ‘ହୀରା’ ଅର୍ଥାତ୍ ବଜ୍ରଯାନ ଭାବେ ନାମିତ କରାଯାଇଥିବା ସେ ଉଲ୍ଲେଖ କରିଥିଲେ। ଗୁରୁ ପଦ୍ମସମ୍ଭବଙ୍କ ମାଧ୍ୟମରେ ସମ୍ବଲପୁର ମାଟିର ସଂସ୍କୃତି ସାରା ବିଶ୍ୱରେ ପହଞ୍ଚିଥିବା ସେ ମତ ପ୍ରକାଶ କରିଥିଲେ।ସେମିନାରରେ ଇତିହାସ ବିଭାଗର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିବା ବେଳେ ଗବେଷକମାନେ ସେଗୁଡ଼ିକର ଉତ୍ତର ଦେଇଥିଲେ। ଏହି ଅବସରରେ ଗବେଷକ ଗୋରେଖନାଥ ସାହୁ, ଶିବପ୍ରିୟା ଶତପଥୀ ଓ ରାଜୀବ ଶଗରିଆ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ।କାର୍ଯ୍ୟକ୍ରମକୁ ଭାରତୀ ସମାଜର କ୍ଷେତ୍ରୀୟ ସଂଯୋଜକ ଡ. ସ୍ୱୟଂ ପ୍ରକାଶ ପଣ୍ଡା ପରିଚାଳନା କରିଥିଲେ। ପ୍ରାରମ୍ଭରେ ଭାରତୀ ସମାଜର ମହାସଚିବ ଦେବୀ ପ୍ରସାଦ ଭୋଇ ଇଷ୍ଟଦେବୀ ମା’ ସମଲେଇ ଓ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା କରିଥିଲେ। ମହେଶ୍ୱର ଷଣ୍ଢ ବୁଦ୍ଧ ବନ୍ଦନା କରିଥିଲେ। ଭାରତୀ ସମାଜର ଉପଦେଷ୍ଟା ଡ. ପ୍ରମୋଦ କୁମାର ରଥ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଶେଷରେ ଗବେଷକ ସମ୍ବିତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଭାରତୀ ସମାଜର ମହାସଚିବ ଗୋପବନ୍ଧୁ ସେନାପତି, ଗଦାଧର ନିଆଲ, ଲଲିତା ଭୋଇ, ରଞ୍ଜିତ ସାହୁ, ସୁବୋଧ କୁମାର ଦୋରା, ମାନସ ରଞ୍ଜନ ବକ୍ସି, ଅଶୋକ ତ୍ରିପାଠୀ, ରାଜେଶ ସ୍ୱାଇଁ, ସୁବ୍ରତ ପ୍ରଧାନ ଓ ରାହୁଲ ଗୁପ୍ତା ପ୍ରମୁଖ ସହଯୋଗ କରିଥିଲେ।

