ସମ୍ବଲପୁର,୦୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଜୟ ମା’ ଗୁଏଲ ମୁଣ୍ଡିଏନ କୋଣାର୍କ ଯୁବକ ସଂଘ, ଗୁଏବେର୍ଣ୍ଣା ପକ୍ଷରୁ ଆୟୋଜିତ ୭ମ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅଚ୍ୟୁତ ଇଲେଭେନ ଦଳ ଚାମ୍ପିୟନ ହୋଇଛି। ଜୟନ୍ତପୁର ବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ ଏହି ରୋମାଞ୍ଚକର ଫୁଟବଲ ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ରେ କେବିଏଫ୍ସି ଦଳ ଓ ଅଚ୍ୟୁତ ଇଲେଭେନ ଦଳ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ସମାନ ଗୋଲ୍ କରିବାରୁ ମ୍ୟାଚ୍ ଡ୍ର ରହିଥିଲା। ଫଳରେ ଖେଳର ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ଅଚ୍ୟୁତ ଇଲେଭେନ ଦଳ ୮-୭ ଗୋଲ୍ରେ କେବିଏଫ୍ସି ଦଳକୁ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା।ଏହା ପୂର୍ବରୁ ପ୍ରଥମ ସେମିଫାଇନାଲରେ କେବିଏଫ୍ସି ଦଳ ବନଦୁର୍ଗା ଏଫ୍ସିକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ଏକ ସେମିଫାଇନାଲରେ ଅଚ୍ୟୁତ ଇଲେଭେନ ଦଳ କବରାପାଲି ଦଳକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ବିଜେତା ଅଚ୍ୟୁତ ଇଲେଭେନ ଦଳକୁ ୩୧ ହଜାର ଟଙ୍କା ସହ ଟ୍ରଫି ଏବଂ ଉପବିଜେତା କେବିଏଫ୍ସି ଦଳକୁ ୨୧ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ହୀରାଲାଲ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଗଣେଶ ତଣ୍ଡିଆ, ନାଏବ ସରପଞ୍ଚ ଲଳିତ ପ୍ରଧାନ, ଯୁବ ସମାଜସେବୀ ଆଶୁତୋଷ ସ୍ୱାଇଁ, ସାମ୍ବାଦିକ ସରୋଜ ସାହୁ ଓ ସାମ୍ବାଦିକ ଦୁଲାଳ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।ଟୁର୍ଣ୍ଣାମେଣ୍ଟରେ ପରେଶ ମିର୍ଦ୍ଦା, ଦେବାନନ୍ଦ ମିର୍ଦ୍ଧା, ଲୁଲୁ ମୁଣ୍ଡା, ବିନୟ ଓରାମ ଓ ରାଜାରାମ ଓରାମ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଜଗଦୀଶ ଓରାମ ଧାରାବିବରଣୀ ପ୍ରଦାନ କରିଥିଲେ।କୋଣାର୍କ ଯୁବକ ସଂଘର ସଭାପତି ନରୋତ୍ତମ ପ୍ରଧାନ ଓ ସମ୍ପାଦକ ଜିତୁ ପ୍ରଧାନଙ୍କ ନେତୃତ୍ୱରେ ଅଚ୍ୟୁତ ମାଝୀ, ଦୀପକ ମାଝୀ, କିରଣ ମାଝୀ, ରମେଶ ମାଝୀ ପ୍ରମୁଖ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ। ଏହି ଫୁଟବଲ ପ୍ରତିଯୋଗିତା ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ସୃଷ୍ଟି କରିଥିଲା

