ସମ୍ବଲପୁର,୦୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଚଳିତ ବର୍ଷ ଦୀପାବଳୀର ଅବ୍ୟବହିତ ପୂର୍ବରୁ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍, ହୀରାକୁଦର ସିଏସଆର ବିଭାଗ ପକ୍ଷରୁ ଏକ ଆକର୍ଷଣୀୟ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମଙ୍ଗଳବାର ହୀରାକୁଦସ୍ଥିତ ସିନିୟର ସିଟିଜେନ ଆସୋସିଏସନ କାର୍ଯ୍ୟାଳୟ ହଲ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସାମାଜିକ ସମ୍ପ୍ରୀତି ଓ ମହିଳାମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶକୁ ପ୍ରୋତ୍ସାହିତ କରିବା।ଏହି ପ୍ରତିଯୋଗିତାରେ ପ୍ରାୟ ୩୫ ଜଣ ମହିଳା ଅଂଶଗ୍ରହଣ କରିଥିଲେ। ହୀରାକୁଦ, ମାଳିପଡା, ଆଇଟିଆଇ ଗୁଜାତଲ, କଦମପଡା, ଗାନ୍ଧୀନଗର, ଶକ୍ତିନଗର, ଷ୍ଟୋର ଛକ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳାମାନେ ନିଜର କଳାତ୍ମକ ଦକ୍ଷତା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ସେମାନେ ବିଭିନ୍ନ ଆକର୍ଷଣୀୟ ଡିଜାଇନ ଓ ନିଆରା ଭାବନାରେ ସୁନ୍ଦର ରଙ୍ଗବେରଙ୍ଗ ରଙ୍ଗୋଲି ପ୍ରସ୍ତୁତ କରିଥିଲେ। ପ୍ରତିଯୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ରଙ୍ଗୋଲିଗୁଡ଼ିକ ଉପସ୍ଥିତ ଦର୍ଶକଙ୍କ ମନକୁ ଆକର୍ଷିତ କରିଥିଲା।ପ୍ରତିଯୋଗିତାର ବିଚାରକ ଭାବେ ଶ୍ରୀମତୀ ସବିତା ପାଣିଗ୍ରାହୀ, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ନାଥ ଏବଂ ଶ୍ରୀଯୁକ୍ତ ବିଭୁଧ ଚନ୍ଦ୍ର ନାୟକ ଯୋଗଦେଇଥିଲେ। ସେମାନେ ରଙ୍ଗୋଲିଗୁଡ଼ିକର ସୃଜନଶୀଳତା, ପରିବେଷଣ ଶୈଳୀ ଓ ସାମଗ୍ରିକ ସୌନ୍ଦର୍ଯ୍ୟକୁ ଆଧାର କରି ମୂଲ୍ୟାୟନ କରିଥିଲେ।କାର୍ଯ୍ୟକ୍ରମରେ ହିଣ୍ଡାଲକୋର ୟୁନିଟ୍ ଏଚଆର ମ୍ୟାନେଜର ସୁଶ୍ରୀ ପ୍ରେରଣା ସିହ୍ନା ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ୟୁନିଟ୍ ଏଚଆର ସୁଶ୍ରୀ ତନିଷ୍କା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମହିଳାମାନଙ୍କ ପ୍ରତିଭା ବିକାଶ ସହ ସାମାଜିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଥାଏ ବୋଲି ସେମାନେ ମତପ୍ରକାଶ କରିଥିଲେ।ପ୍ରତିଯୋଗିତାରେ ଝୁନୁ ବେହେରା ପ୍ରଥମ, ଅଞ୍ଜଳି ପାଇକ ଦ୍ୱିତୀୟ ଏବଂ ଲିଲି ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ମୋହିନୀ ପାତ୍ର ଓ ଦେବସ୍ମିତା ବେହେରା ସାନ୍ତ୍ୱନାମୂଳକ ପୁରସ୍କାର ପାଇଥିଲେ। ମହିଳାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।ଏହି ଆୟୋଜନ ମାଧ୍ୟମରେ ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ସମୁଦାୟର ମହିଳାମାନଙ୍କ ମଧ୍ୟରେ ସୃଜନଶୀଳତା, ସାଂସ୍କୃତିକ ଚେତନା ଓ ସାମାଜିକ ସମ୍ପ୍ରୀତିକୁ ପ୍ରୋତ୍ସାହିତ କରିବାର ପ୍ରତିବଦ୍ଧତା ପୁନର୍ବାର ପ୍ରଦର୍ଶିତ ହୋଇଛି।ବିଚାରକ ତଥା ହୀରାକୁଦ ସୃଜନୀର ସଂସ୍ଥାପକ ଶ୍ରୀମତୀ ସବିତା ପାଣିଗ୍ରାହୀ ହିଣ୍ଡାଲକୋ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଏହି ପରମ୍ପରାକୁ ଜାରି ରଖିଥିବାରୁ ହିଣ୍ଡାଲକୋକୁ ସାଧୁବାଦ ଜଣାଇଥିଲେ।

