ସମ୍ବଲପୁର,୦୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକରେ ୧୪ ଜଣ ସହକାରୀ ଶିକ୍ଷକଙ୍କ ବଦଳି ଏବଂ ଅନ୍ୟ ୨ ଜଣ ଶିକ୍ଷକଙ୍କୁ ଅନ୍ୟ ବ୍ଲକର ବିଦ୍ୟାଳୟରେ ଡେପୁଟେସନ୍ରେ ନିୟୋଜିତ କରାଯିବାକୁ ନେଇ ସମ୍ବଲପୁର ଶିକ୍ଷା ବିଭାଗରେ ଚର୍ଚ୍ଚା ଜୋର ଧରିଛି। ଏହି ବଦଳି ତାଲିକାରେ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ନାମ ମଧ୍ୟ ଥିବା ନେଇ ଆଲୋଚନା ହେଉଥିବା ବେଳେ ନିର୍ବାଚନ ସମ୍ବନ୍ଧୀୟ ନିୟମକୁ ନେଇ ପ୍ରଶ୍ନ ଉଠିଛି। ଧନକଉଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୨ ତାରିଖରେ ଜାରି ଆଦେଶ ନମ୍ବର ୩୯୬୨ ଅନୁଯାୟୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ଏବଂ ଜିଲ୍ଲାସ୍ତରୀୟ ବଦଳି କମିଟିର ସୁପାରିସ ଆଧାରରେ ଏହି ବଦଳି ନିଷ୍ପତ୍ତି ନିଆଯାଇଛି। ନୂତନ କାର୍ଯ୍ୟସ୍ଥଳରେ ତୁରନ୍ତ ଯୋଗଦେବାକୁ ସମ୍ପୃକ୍ତ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଦଳି ହୋଇଥିବା ଶିକ୍ଷକମାନେ ହେଲେ ଅଞ୍ଜଳି ମିଶ୍ର, ପଙ୍କଜିନୀ ହୋରୋ, ଉଦୟ ଶଙ୍କର ଦାଶ, ମହେନ୍ଦ୍ରୀ ଭୋଇ, ମାୟା ଜଗତ, ମମତା ନାଏକ, ସୟଦ ଅବଦୁଲ ଅହଦ, ବୀଣାପାଣି ପ୍ରଧାନ, ସୌଦାମିନୀ ଚାନ୍ଦ, ତନ୍ମୟ ମାଝୀ, ରୀତାବାଳା ବେହେରା, ରଞ୍ଜିତା ମିଶ୍ର, ପବିତ୍ର ମୋହନ ନାଗ ଓ ଅସୀମା ବୋହିଦାର।ଅନ୍ୟପକ୍ଷରେ, କାର୍ଯ୍ୟାଳୟ ଆଦେଶ ନମ୍ବର ୩୯୬୫ ଅନୁଯାୟୀ ଶ୍ରୀମନ୍ତ କୁମାର ସାହୁ ଓ ଅର୍ଜୁନ ପ୍ରଧାନଙ୍କୁ ଯଥାକ୍ରମେ ଯୁଜୁମୁରା ଓ ରେଢ଼ାଖୋଲ ବ୍ଲକର ବିଦ୍ୟାଳୟରେ ଡେପୁଟେସନ୍ରେ ନିୟୋଜିତ କରାଯାଇଛି। ଶ୍ରୀମନ୍ତ କୁମାର ସାହୁଙ୍କୁ କବରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅର୍ଜୁନ ପ୍ରଧାନଙ୍କୁ ସତସମା ସରକାରୀ ଉଚ୍ଚ ବିଦ୍ୟାଳୟରେ ନିୟୋଜିତ କରାଯାଇଛି। ତେବେନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ, ନିର୍ବାଚନ ପରିଚାଳନା ସହ ସିଧାସଳଖ କିମ୍ବା ପରୋକ୍ଷ ଭାବେ ଜଡ଼ିତ ଅଧିକାରୀ ଓ କର୍ମଚାରୀଙ୍କ ବଦଳି ଏବଂ ନିଯୁକ୍ତି ଉପରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କଟକଣା ରହିଥାଏ। ଏପରି କ୍ଷେତ୍ରରେ ଆବଶ୍ୟକ ବଦଳି ପାଇଁ ନିର୍ବାଚନ ଆୟୋଗଙ୍କ ପୂର୍ବ ଅନୁମତି ଆବଶ୍ୟକ ହୋଇଥାଏ। ସେହିପରି ଜନପ୍ରତିନିଧି ଅଧିନିୟମ, ୧୯୫୦ର ଧାରା ୧୩ସିସି ଅନୁଯାୟୀ, ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ ଓ ନିର୍ବାଚନ ପରିଚାଳନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନେ ସେହି ସମୟରେ ନିର୍ବାଚନ ଆୟୋଗଙ୍କ ନିୟନ୍ତ୍ରଣ ଓ ତଦାରଖ ଅଧୀନରେ ରହିଥାନ୍ତି। ସମ୍ବଲପୁର ଜିଲ୍ଲାରେ ଜାରି ହୋଇଥିବା ଶିକ୍ଷକ ବଦଳି ତାଲିକାରେ ବିଏଲ୍ଓଙ୍କ ନାମ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ କିରାଣୀ ବଦଳି ତାଲିକା ପ୍ରସ୍ତୁତି ସମ୍ପର୍କିତ ଗୋଲକଧନ୍ଦାରେ ସାମିଲ ଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ବିଭାଗର ପ୍ରତିକ୍ରିୟା ଏବଂ ନିର୍ବାଚନ ଆୟୋଗଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ଅପେକ୍ଷା ରହିଛି।

