ସମ୍ବଲପୁର,୦୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ପାରାଦୀପସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ତୃତୀୟ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ଓ ପାରା ଜୁଡୋ ଚାମ୍ପିଅନସିପ୍ରେ ସମ୍ବଲପୁର ଜିଲ୍ଲାର ଖେଳାଳିମାନେ ଚମତ୍କାର ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପ୍ରଥମଥର ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମ୍ବଲପୁର ଦଳ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ କରିବା ସହ ଦଳଗତ ଭାବେ ରନର୍ସଅପ୍ ଟ୍ରଫି ହାସଲ କରିଛି।ମୁଖ୍ୟ କୋଚ୍ ଇଶାନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲାର ୧୬ ଜଣ ଦୃଷ୍ଟିହୀନ ଖେଳାଳି ଏହି ଚାମ୍ପିଅନସିପ୍ରେ ଭାଗ ନେଇଥିଲେ। ଖେଳାଳିମାନେ ନିଜର ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ବଳରେ ୯ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୩୦୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।ଏହି ସଫଳତା ପରେ ସମ୍ବଲପୁରର ଦୃଷ୍ଟିହୀନ ଜୁଡୋ ଖେଳାଳିମାନେ ଆଗାମୀ ଦିନରେ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ଜାତୀୟ ସ୍ତରରେ ଜିଲ୍ଲାର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଥିବା ଖେଳାଳିମାନଙ୍କୁ ନେଇ ଜିଲ୍ଲାରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।ଦଳ ସମ୍ବଲପୁର ଫେରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଜାତୀୟ ସ୍ତରରେ ଅଧିକ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସମସ୍ତ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଜିତେନ୍ଦ୍ର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ସମାଜସେବୀ ଦିଲୀପ ଦୁରିଆ, ସଙ୍ଗୀତା ପ୍ରଧାନ, ସୁଷମା ସାହୁ, ଚକ୍ରଧର ଦାସ ଓ ସୁଧୀର ପଣ୍ଡାଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତ ରହି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଯାତ୍ରାରେ ଆୟୁଷ୍ମାନ ଉଜ୍ଜ୍ୱଳ ଦାସ, ରାଜେଶ କୁମାର ନାୟକ ଓ ସୁଭଜିତ୍ ହଳଧର ପ୍ରମୁଖ କୋଚ୍ ଭାବେ ସାମିଲ ଥିଲେ। ସମ୍ବଲପୁରର ଏହି ସଫଳତା ଜିଲ୍ଲାର କ୍ରୀଡ଼ା ଜଗତ ପାଇଁ ଏକ ଗର୍ବର ବିଷୟ ହୋଇଥିବାବେଳେ ଜାତୀୟ ସ୍ତରରେ ମଧ୍ୟ ଖେଳାଳିମାନେ ନିଜର ପ୍ରତିଭା ଓ ଦକ୍ଷତାର ପରିଚୟ ଦେବେ ବୋଲି ଆଶା ପ୍ରକାଶ ପାଇଛି

