ସମ୍ବଲପୁର,୦୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରର ପ୍ରସିଦ୍ଧ ଆରାଧ୍ୟା ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ସାମଗ୍ରିକ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ‘ସମଲେଇ ପ୍ରକଳ୍ପ’ର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ କ୍ଷେତ୍ରସ୍ତରୀୟ ରିପୋର୍ଟ ଆଧାରରେ ପ୍ରକଳ୍ପର ବିଭିନ୍ନ ନିର୍ମାଣ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତିର ବିସ୍ତୃତ ସମୀକ୍ଷା କରିଛନ୍ତି।ସମୀକ୍ଷାରୁ ଜଣାପଡ଼ିଛି ଯେ, ଦୂରଦୂରାନ୍ତରୁ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ନିମନ୍ତେ ଭକ୍ତନିବାସ, ଆକର୍ଷଣୀୟ ପ୍ରବେଶ ଫୋୟାର୍ ବିଲ୍ଡିଂ ଏବଂ ସ୍ଥାନୀୟ କଳା ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ ପାଇଁ ସୁଭେନିର୍ ଶପ୍ ଭବନ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି।ସେହିପରି ହ୍ରଦ ଅଞ୍ଚଳ-୨ର ପରିବେଶ ଅନୁକୂଳ ସୌନ୍ଦର୍ଯ୍ୟକରଣ, ମୁଖ୍ୟ ପହଞ୍ଚ ରାସ୍ତା, ୨ ମିଟର ପ୍ରଶସ୍ତ ଚଲାପଥ ଏବଂ ଖଣ୍ଡୋଲାଇଟ୍ ପଥରରେ ପାହାଚ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ଦିର ପରିସରରେ ନିରବଚ୍ଛିନ୍ନ ଜଳଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିର୍ମାଣାଧୀନ ଭୂତଳ ଜଳଭଣ୍ଡାରର କାର୍ଯ୍ୟ ମଧ୍ୟ ସମାପ୍ତ ହେବାକୁ ବସିଛି।ଅନ୍ୟପକ୍ଷରେ, ହ୍ରଦ ଅଞ୍ଚଳ-୧ ସଂଲଗ୍ନ ବିସ୍ତୃତ ଗାଡ଼ି ପାର୍କିଂ ସ୍ଥଳ ଏବଂ ସର୍ବସାଧାରଣ ଶୌଚାଳୟ ଭବନ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ପରିବେଶ ସୁରକ୍ଷା ଓ ଜଳର ପୁନଃବ୍ୟବହାରକୁ ଗୁରୁତ୍ୱ ଦେଇ ଏକ ଅତ୍ୟାଧୁନିକ ମଳଜଳ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଏହାର ସାମଗ୍ରିକ ନିର୍ମାଣ ସ୍ଥିତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ ମଧ୍ୟ ସ୍ପଷ୍ଟ ହୋଇଛି।ପ୍ରକଳ୍ପର ବିଭିନ୍ନ ଉପାଦାନର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ବିଭାଗୀୟ ଅଧିକାରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଠିକାସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରି ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ସମଲେଇ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ମା’ ସମଲେଶ୍ୱରୀଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଯାତାୟାତ, ରହଣି, ପାର୍କିଂ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଅଧିକ ସୁଗମ ହେବା ସହିତ ପୀଠର ସାମଗ୍ରିକ ବିକାଶକୁ ନୂତନ ଦିଗ ମିଳିବ ବୋଲି ଆଶା କରାଯାଉଛି।

