ସମ୍ବଲପୁର,୦୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଜୀବନରେ ସଂଘର୍ଷ ଆସିଲେ ଅନେକେ ନିଜ ସ୍ୱପ୍ନକୁ ଭୁଲିଯାଆନ୍ତି। ଆର୍ଥିକ ଅନଟନ ଓ ପାରିବାରିକ ପରିସ୍ଥିତି ଯୋଗୁଁ କେହି କେହି ଶିକ୍ଷାରୁ ଦୂରେଇ ଯିବାକୁ ବାଧ୍ୟ ହୁଅନ୍ତି। ହେଲେ ଜୀବନର ପ୍ରତିକୂଳ ପରିସ୍ଥିତିକୁ ଆହ୍ୱାନ ଦେଇ ନିଜ ସ୍ୱପ୍ନକୁ ପୁଣିଥରେ ଜୀବନ୍ତ କରିବା ସହ ଅନ୍ୟମାନଙ୍କ ଜୀବନରେ ଶିକ୍ଷାର ଆଲୋକ ଜାଳିବାର ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁର ଆର୍.ପି. କଲୋନୀର ସଞ୍ଜନା ପ୍ରଧାନ।ଦିନେ ଆର୍ଥିକ ଅନଟନ ଯୋଗୁଁ ନିଜେ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହୋଇଥିବା ସଞ୍ଜନା ଆଜି ଉଚ୍ଚଶିକ୍ଷାର ସୋପାନ ଅତିକ୍ରମ କରିବା ସହ ଅନେକ ଅସହାୟ ଶିଶୁ ଓ କିଶୋରୀଙ୍କ ପାଇଁ ପ୍ରେରଣାଦାୟୀ ମାର୍ଗଦର୍ଶିକା ସାଜିଛନ୍ତି। ତାଙ୍କର ନିଷ୍ଠା, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ତାଙ୍କୁ ଏକ ନୂଆ ପରିଚୟ ଦେଇଛି। ନିକଟରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ସଞ୍ଜନା ପ୍ରଧାନଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯାଇଛି।ସଞ୍ଜନାଙ୍କ ଜୀବନଯାତ୍ରା ଆରମ୍ଭରୁ ଥିଲା ସଂଘର୍ଷପୂର୍ଣ୍ଣ। ତାଙ୍କ ବାପା ଜଣେ ଦିନମଜୁରିଆ। ସୀମିତ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହେଉଥିବାରୁ ଦ୍ୱାଦଶ ଶ୍ରେଣୀ ଶିକ୍ଷା ସମାପ୍ତ କରିବା ପରେ ସଞ୍ଜନାଙ୍କ ଉଚ୍ଚଶିକ୍ଷାରେ ଆର୍ଥିକ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା।ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସେ ଏକ ଷ୍ଟେସନାରି ଦୋକାନରେ କାମ କରିବା ଆରମ୍ଭ କରିଥିଲେ। ଦିନକୁ ୧୨ ଘଣ୍ଟାରୁ ଅଧିକ ସମୟ କାମ କରି ସେ ପରିବାରକୁ ସହଯୋଗ କରୁଥିଲେ। ଏହି ସମୟରେ ତାଙ୍କର ଉଚ୍ଚଶିକ୍ଷା ଓ ନିଜ ଭବିଷ୍ୟତକୁ ନେଇ ଦେଖିଥିବା ସ୍ୱପ୍ନ ପଛରେ ପଡ଼ିଯାଇଥିଲା।କିନ୍ତୁ ଜୀବନର ଏହି ସଂଘର୍ଷ ତାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ପାରିନଥିଲା। ଶିକ୍ଷା ହିଁ ଜୀବନରେ ପରିବର୍ତ୍ତନ ଆଣିପାରିବ ବୋଲି ତାଙ୍କ ମନରେ ଥିବା ବିଶ୍ୱାସ ତାଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଦେଇଥିଲା।
ସଞ୍ଜନାଙ୍କ ଜୀବନରେ ନୂଆ ଆଶାର ସଞ୍ଚାର କରିଥିଲା ସରକାରଙ୍କ ଦ୍ୱାରା ପରିଚାଳିତ ଅଦ୍ବିକା କାର୍ଯ୍ୟକ୍ରମରେ ତାଙ୍କର ସାମିଲ ହେବା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜ ଜୀବନକୁ ନୂଆ ଦିଗ ଦେବାର ସୁଯୋଗ ପାଇଥିଲେ।ଏଡ୍-ଏଟ୍-ଆକ୍ସନ୍ ସଂସ୍ଥାର ଜିଲ୍ଲା ସଂଯୋଜିକା ସୁନିତା ତ୍ରିପାଠୀ ସଞ୍ଜନାଙ୍କୁ ନେତୃତ୍ୱ ନେବା ପାଇଁ ପରାମର୍ଶ ଦେବା ସହ ତାଙ୍କୁ ନିୟମିତ ମାର୍ଗଦର୍ଶନ କରିଥିଲେ। ସଞ୍ଜନା ଓ ତାଙ୍କ ମା’ଙ୍କୁ ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶର ଗୁରୁତ୍ୱ ବୁଝାଇଥିଲେ।
ଏହି ପରାମର୍ଶ ଓ ପ୍ରେରଣା ସଞ୍ଜନାଙ୍କ ମନରେ ନୂଆ ଆତ୍ମବିଶ୍ୱାସ ଭରିଦେଇଥିଲା। ଶେଷରେ ସେ ଷ୍ଟେସନାରି ଦୋକାନର ଚାକିରି ଛାଡ଼ି ନିଜ ଭବିଷ୍ୟତ ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ।ଜିଲ୍ଲା ସଂଯୋଜିକାଙ୍କ ସହଯୋଗରେ ସେ ଆଦିତ୍ୟ ବିର୍ଲା ସ୍କିଲ୍ ସେଣ୍ଟରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ବର୍ତ୍ତମାନ ସେ ବିଭିନ୍ନ ନିଯୁକ୍ତି ସାକ୍ଷାତକାରରେ ଯୋଗଦେଉଥିବା ବେଳେ ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟରେ +୩ ପାଠ୍ୟକ୍ରମରେ ମଧ୍ୟ ନାମ ଲେଖାଇଛନ୍ତି। ସଞ୍ଜନାଙ୍କ ସଫଳତା କେବଳ ନିଜର ଶିକ୍ଷା କିମ୍ବା ଜୀବିକା ମଧ୍ୟରେ ସୀମିତ ନୁହେଁ। ଅଦ୍ବିକା କାର୍ଯ୍ୟକ୍ରମର ଜଣେ ସକ୍ରିୟ ଯୁବ ନେତୃତ୍ୱ ଭାବେ ସେ ନିଜ ଅଞ୍ଚଳରେ ଶିକ୍ଷାରୁ ବଞ୍ଚିତ ଶିଶୁ ଓ କିଶୋରୀମାନଙ୍କୁ ପୁଣିଥରେ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି।ନିଜ ସାଙ୍ଗସାଥୀ ଓ ପାଠପଢ଼ା ଛାଡ଼ିଥିବା ଅନ୍ୟ ପିଲାମାନଙ୍କୁ ଉଚ୍ଚଶିକ୍ଷା ଏବଂ ଦକ୍ଷତା ପ୍ରଶିକ୍ଷଣ ପାଇଁ ପ୍ରେରିତ କରୁଛନ୍ତି। ତାଙ୍କ ଉଦ୍ୟମରେ ଅନେକ ଯୁବକଯୁବତୀ ଆଦିତ୍ୟ ବିର୍ଲା ସ୍କିଲ୍ ସେଣ୍ଟରରେ ନାମ ଲେଖାଇବାକୁ ଆଗେଇ ଆସିଛନ୍ତି। ନିଜେ ଯେଉଁ ଶିକ୍ଷାଗତ ଓ ଆର୍ଥିକ ସମସ୍ୟା ଦେଇ ଗତି କରିଛନ୍ତି, ଅନ୍ୟ ପିଲାମାନେ ଯେପରି ସେହି ସମସ୍ୟାର ଶିକାର ନ ହୁଅନ୍ତୁ, ସେଥିପାଇଁ ସେ ନିରନ୍ତର ଉଦ୍ୟମ କରୁଛନ୍ତି।ସଞ୍ଜନାଙ୍କ ସାମାଜିକ କାର୍ଯ୍ୟ ମଧ୍ୟରେ ସବୁଠାରୁ ଉଲ୍ଲେଖନୀୟ ହେଉଛି ନିଜ ଅଞ୍ଚଳର ପ୍ରାୟ ୩୦ ଜଣ ଅବହେଳିତ ଓ ଆର୍ଥିକ ଅନଗ୍ରସର ପୁଅଝିଅଙ୍କୁ ମାଗଣାରେ ଟ୍ୟୁସନ୍ ଶିକ୍ଷା ପ୍ରଦାନ। ଶିଶୁ ଶ୍ରମିକ ଭାବେ କାମ କରୁଥିବା ଏବଂ ଶିକ୍ଷାରୁ ଦୂରେଇ ଯାଇଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁଣିଥରେ ଶିକ୍ଷା ସହ ଯୋଡ଼ିବା ଦିଗରେ ସେ ଉଦ୍ୟମ କରୁଛନ୍ତି। ଶିକ୍ଷାର ଅଭାବ ଯେପରି କୌଣସି ଶିଶୁର ଭବିଷ୍ୟତକୁ ଅନ୍ଧକାରମୟ ନ କରେ, ସେଥିପାଇଁ ସେ ନିଜ ସମୟ ଓ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟୁଛନ୍ତି।ଏଥିସହ ନିଜ ଅଞ୍ଚଳରେ ଏକ ବାଲ୍ୟବିବାହ ଘଟଣାକୁ ରୋକିବାରେ ମଧ୍ୟ ସେ ସହଯୋଗ କରିଛନ୍ତି। ଏହି ପଦକ୍ଷେପ ତାଙ୍କ ସାମାଜିକ ଦାୟିତ୍ୱବୋଧ ଓ ଶିଶୁ ସୁରକ୍ଷା ପ୍ରତି ଥିବା ତାଙ୍କର ନିଷ୍ଠାକୁ ପ୍ରତିଫଳିତ କରୁଛି।ସମ୍ମାନିତ ହେଲେ ସଞ୍ଜନାରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ସଞ୍ଜନା ପ୍ରଧାନଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଦ୍ୱାରା ସମ୍ମାନିତ କରାଯିବା ତାଙ୍କ ସଂଘର୍ଷ ଓ ସାମାଜିକ ଅବଦାନର ଏକ ସ୍ୱୀକୃତି।ତାଙ୍କର ନେତୃତ୍ୱ ଓ ପ୍ରୟାସ ଦ୍ୱାରା ଅନେକ କିଶୋରୀ ଓ ଶିଶୁଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ଶିକ୍ଷା ସହ ଯୋଡ଼ିବା, ଦକ୍ଷତା ବିକାଶ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ବାଲ୍ୟବିବାହ ରୋକିବା ଭଳି କାର୍ଯ୍ୟରେ ତାଙ୍କର ଭୂମିକା ତାଙ୍କୁ ଏକ ପ୍ରେରଣାଦାୟୀ ଯୁବ ନେତୃତ୍ୱ ଭାବେ ପରିଚିତ କରାଇଛି।ସଂଘର୍ଷରୁ ସଫଳତା, ସଫଳତାରୁ ସମାଜ ପରିବର୍ତ୍ତନସଞ୍ଜନାଙ୍କ ଜୀବନଯାତ୍ରା ପ୍ରମାଣ କରେ ଯେ ଉପଯୁକ୍ତ ସମୟରେ ପରାମର୍ଶ, ପ୍ରେରଣା ଓ ଅନୁଷ୍ଠାନିକ ସହଯୋଗ ମିଳିଲେ ଜଣେ ଯୁବତୀ ନିଜ ଜୀବନର ଦିଗ ବଦଳାଇବା ସହ ସମାଜ ପରିବର୍ତ୍ତନର ମାଧ୍ୟମ ହୋଇପାରନ୍ତି।ଦିନେ ନିଜ ପାଠପଢ଼ା ଓ ଭବିଷ୍ୟତକୁ ନେଇ ଅନିଶ୍ଚିତତାରେ ଥିବା ସଞ୍ଜନା ଆଜି ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତିର ନୂଆ ସୁଯୋଗ ଦିଗରେ ଆଗେଇ ଚାଲିଛନ୍ତି। ଏହା ସହ ଅନ୍ୟମାନଙ୍କ ଜୀବନରେ ଶିକ୍ଷାର ଆଲୋକ ଜାଳିବାରେ ମଧ୍ୟ ସେ ନିଜକୁ ସାମିଲ କରିଛନ୍ତି।ସଞ୍ଜନାଙ୍କ କାହାଣୀ କେବଳ ଜଣେ ଯୁବତୀଙ୍କ ସଫଳତାର କାହାଣୀ ନୁହେଁ; ଏହା ଶିକ୍ଷା, ଆତ୍ମବିଶ୍ୱାସ, ନାରୀ ସଶକ୍ତୀକରଣ ଓ ସାମାଜିକ ପରିବର୍ତ୍ତନର ଏକ ପ୍ରେରଣାଦାୟୀ ଗାଥା।ନିଜେ ଅନ୍ଧାରରୁ ଆଲୋକକୁ ଆସିବା ସହ ଅନ୍ୟମାନଙ୍କୁ ମଧ୍ୟ ଆଲୋକର ପଥ ଦେଖାଉଥିବା ସଞ୍ଜନା ପ୍ରଧାନ ଆଜି ସମାଜ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ। ତାଙ୍କର ଏହି ଯାତ୍ରା ଅନେକ ଝିଅଙ୍କୁ ନିଜ ସ୍ୱପ୍ନକୁ ପୁଣିଥରେ ଦେଖିବା ଓ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଆସିବାର ପ୍ରେରଣା ଦେଉଛି।

