ସମ୍ବଲପୁର,୦୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ ମହାପାତ୍ରଙ୍କ ନୂଆଦିଲ୍ଲୀଠାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବାରୁ ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ସ୍ୱର୍ଗତ ଡାକ୍ତର ମହାପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଥିସହ ତାଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଲିଫ ପଟ୍ଟନାୟକ, ଡାକ୍ତର ଆଦିତ୍ୟ ଶଙ୍କର ପ୍ରଧାନ, ଡାକ୍ତର ସଜ୍ଜନ ଯାଦବ, ଡାକ୍ତର ସୁବ୍ରତ ନନ୍ଦ ଓ ଫାର୍ମାସିଷ୍ଟ ସୁରେନ୍ଦ୍ର ମୋହନ ବେହେରା ପ୍ରମୁଖ ଶୋକବ୍ୟକ୍ତ କରିଥିଲେ।ର୍ଗତ ଡାକ୍ତର ମହାପାତ୍ରଙ୍କ ବିୟୋଗ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି। ବିଶେଷକରି ଜଟିଳ ଓ ସଫଳ ସ୍ନାୟୁ ଶଲ୍ୟ ଚିକିତ୍ସା ପାଇଁ ସେ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଶୋକସଭାରେ ବରିଷ୍ଠ ନାଗରିକ ସୀତାରାମ ସାହୁ, ଲକ୍ଷ୍ମୀ ଦାସ, ଅମିନ ସାହୁ, ବିରଞ୍ଚି ବିଶ୍ୱାଳ, ରାଜାରାମ ମହାନ୍ତିଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରୀତିମୟ ସାହୁ, ଶିବାନୀ ପଣ୍ଡା, ଦେବରାଜ ଭୋଇ, ଅଙ୍କିତ ସାହୁ, ସୁର୍ବତୀ ବାଗ ଓ ଆଶାକର୍ମୀମାନେ ଯୋଗଦେଇଥିଲେ। ଶେଷରେ ଫାର୍ମାସିଷ୍ଟ ପ୍ରୀତିମୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

