ରାଉରକେଲା ୪/୧୧,(ଉତ୍କଳ ସମାଚାର) ୨୦୨୬ ନଭେମ୍ବର ୫ ତାରିଖରୁ ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଶୁଭାରମ୍ଭ ହେଉଛି ଇଣ୍ଡିଆନ୍ ଫୁଟବଲ୍ ଲିଗ୍ ୨୦୨୬-୨୭। ଏହା ୨୦୨୭ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ଟା ୩୦ ସମୟରେ ଓଡିଶାର ସମଲେଶ୍ଵରୀ ସ୍ପୋର୍ଟିଂ ଡେମ୍ପୋ SC ବିପକ୍ଷରେ ସେମାନଙ୍କର ପ୍ରଥମ ଇଣ୍ଡିଆନ ଫୁଟବଲ୍ ଲିଗ୍ (IFL) ମ୍ୟାଚ୍ ଖେଳିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ସମଲେଶ୍ଵରୀ ସ୍ପୋର୍ଟିଂର ମୁଖ୍ୟ ପ୍ରଶିକ୍ଷକ ଅବଦୁଲ ଅଜିମ୍ ସିଦ୍ଦିକ୍ ଏବଂ ମିଡଫିଲ୍ଡର ଅମରଜିତ ସିଂହ କିଆମ୍ ଗଣମାଧ୍ୟମକୁ ସମ୍ବୋଧିତ କରି ଦଳର ପ୍ରସ୍ତୁତି ସହିତ କୌଶଳଗତ ପ୍ରସ୍ତୁତି ଏବଂ ପଶ୍ଚିମ ଓଡିଶାରେ ସ୍ଥାନୀୟ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବା ଉପରେ ଗୁରୁତ୍ୱାରୋପ କରିଥିଲେ।”ସମଲେଶ୍ୱରୀ ସ୍ପୋର୍ଟିଂ” ହେଉଛି ଓଡ଼ିଶାର ପ୍ରଥମ ଦଳ ଯିଏକି ଇଣ୍ଡିଆନ୍ ଫୁଟବଲ୍ ଲିଗ୍ରେ ଅଂଶଗ୍ରହଣ କରିଛି। ସମଲେଶ୍ୱରୀ ସ୍ପୋର୍ଟିଂ ସହିତ ନିଜକୁ ଜଡିତ କରି ଓଡ଼ିଶାରେ ଫୁଟବଲ୍ ବିକାଶ ପାଇଁ କାମ କରିବା ତାଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ସମଲେଶ୍ଵରୀ ସ୍ପୋର୍ଟିଂର ମୁଖ୍ୟ ପ୍ରଶିକ୍ଷକ ଅବଦୁଲ ଅଜିମ୍ ସିଦ୍ଦିକ୍। ସେ କହିଛନ୍ତି ଯେ ଦଳରେ ୧୦ ଜଣ ଓଡ଼ିଆ ଖେଳାଳି ଅଛନ୍ତି ଯେଉଁଥିରୁ ୫ ଜଣ ସମ୍ବଲପୁରର। ଏଥିସହିତ ୫ ଜଣ ବିଦେଶୀ ଖେଳାଳି ମଧ୍ୟ ଅଛନ୍ତି। ସେ ସମଲେଶ୍ଵରୀ ସ୍ପୋର୍ଟିଂ ଦଳକୁ ପ୍ରଶିକ୍ଷକ ଭାବେ ପାଇ ଭାଗ୍ୟବାନ ଯେ ଏଥିରେ ୧୪ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ଜାତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି। ଏହାକୁ ସମର୍ଥନ କରି ସମଲେଶ୍ଵରୀ ସ୍ପୋର୍ଟିଂ ଦଳର ଅମରଜିତ ସିଂହ କିଆମ କହିଥିଲେ ଯେ, ଦଳକୁ ସମର୍ଥନ କରି ଏଠାକୁ ଆସିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଷ୍ଟାଡିୟମରେ ଦର୍ଶକଙ୍କ ସମର୍ଥନ ଦଳକୁ ପଡ଼ିଆରେ ପ୍ରଦର୍ଶନ କରିବାକୁ ବେଶ୍ ପ୍ରେରଣା ଦେବ ଏବଂ ସମଲେଶ୍ୱରୀ ସ୍ପୋର୍ଟିଂ ପାଇଁ ସକାରାତ୍ମକ ଫଳାଫଳ ଦେବ। ଏହି ସାମ୍ବାଦିକ ସମ୍ମିଳନୀରେ ସମଲେଶ୍ଵରୀ ସ୍ପୋର୍ଟିଂର ଅଧ୍ୟକ୍ଷ ତଥା ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେଇ କହିଥିଲେ ଯେ, ସମଲେଶ୍ଵରୀ ସ୍ପୋର୍ଟିଂ ଓଡ଼ିଶାର ଏକମାତ୍ର ଫୁଟବଲ ଦଳ ଯେଉଁଥିରେ ରାଉରକେଲା ତଥା ସୁନ୍ଦରଗଡ଼ର ଖେଳାଳି ମଧ୍ୟ ଅଛନ୍ତି। ରାଉରକେଲାର ଦର୍ଶକ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଆସନ୍ତା କାଲି ଗୁରୁବାର ସନ୍ଧ୍ୟା ୬ଟା ୩୦ ସମୟରେ ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ୍ ବନାମ ଡେମ୍ପୋ ଏସସି ମଧ୍ଯରେ ଇଣ୍ଡିଆନ୍ ଫୁଟବଲ୍ ଲିଗ୍ (IFL)ର ପ୍ରଥମ ଫୁଟବଲ୍ ମ୍ଯାଚ ଅନୁଷ୍ଠିତ ହେବ। ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଏହି ମ୍ୟାଚ ଦେଖିବାକୁ ଟିକେଟର ମୂଲ୍ୟ ୫୦ ଟଙ୍କା ଏବଂ ୨୦୦ ଟଙ୍କା ରଖାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସମଲେଶ୍ଵରୀ ସ୍ପୋର୍ଟିଂର ଅଧ୍ୟକ୍ଷ (ଚେୟାରମ୍ୟାନ) ଜୟନାରାୟଣ ମିଶ୍ରଙ୍କ ସମେତ ଖେଳାଳି ଅମରଜିତ ସିଂ କିଆମ୍ (ମଣିପୁର), ମୁଖ୍ଯ ପ୍ରଶିକ୍ଷକ ଅବଦୁଲ ଅଜିମ୍ ସିଦ୍ଦିକ୍, ବିଶେଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

